ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର୍ ଆମିର ଖାନ୍‌ଙ୍କ ଭାଣିଜୀ ତଥା ଜଣାଶୁଣା ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଭାରତ ଛାଡ଼ିବା ପାଇଁ ମୁମ୍ବାଇ ପୁଲିସ ନୋଟିସ୍ ଜାରି କରିଛି। ଅକ୍ଟୋବର ୨୮ ତାରିଖ ସୁଦ୍ଧା ସେ ଦେଶ ଛାଡ଼ିବାକୁ ନୋଟିସ୍‌ରେ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆୟୋଜିତ ଏକ ରାଜନୈତିକ ବିକ୍ଷୋଭ ପ୍ରଦର୍ଶନରେ ଅଂଶଗ୍ରହଣ କରିବା ପରେ ତାଙ୍କ ବିରୋଧରେ ଏହି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଇମିଗ୍ରେସନ୍ ଏବଂ ଫୋରେନର୍ସ ଆକ୍ଟର ଧାରା ୭ ଏବଂ ୨୯ ଅଧୀନରେ ଇମ୍ରାନ୍‌ଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତ ଅକ୍ଟୋବର ୧୦ ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ଆୟୋଜିତ ଏହି ଆନ୍ଦୋଳନ ସମୟରେ ପୁଲିସ ତାଙ୍କୁ ଆଟକ ରଖିଥିଲା।

ସୂଚନା ଅନୁଯାୟୀ, ଇମ୍ରାନ୍ ଖାନ୍ ଭାରତୀୟ ନାଗରିକ ନୁହଁନ୍ତି। ସେ ଆମେରିକାର ନାଗରିକତ୍ୱ ବହନ କରୁଥିବା ବେଳେ ଓସିଆଇ (OCI) କାର୍ଡଧାରୀ ଅଟନ୍ତି। ଭାରତୀୟ ଆଇନ ଏବଂ ଇମିଗ୍ରେସନ୍ ନିୟମାନୁସାରେ, କୌଣସି ବିଦେଶୀ ନାଗରିକ ଦେଶ ମଧ୍ୟରେ ରାଜନୈତିକ ଆନ୍ଦୋଳନ କିମ୍ବା ବିକ୍ଷୋଭରେ ଭାଗ ନେବା ସମ୍ପୂର୍ଣ୍ଣ ବେଆଇନ।

ବିଜେପି ନେତା ତଥା ପୂର୍ବତନ ସାଂସଦ କିରୀଟ ସୋମୈୟା ଗତ ଅକ୍ଟୋବର ୧୩ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ଇମିଗ୍ରେସନ୍ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ଇମ୍ରାନ୍‌ଙ୍କ ବିରୋଧରେ ଲୁକ୍-ଆଉଟ୍ ସର୍କୁଲାର୍ (LOC) ଜାରି କରିବା ସହ ତାଙ୍କ OCI କାର୍ଡ ରଦ୍ଦ ଏବଂ ଦେଶାନ୍ତର ପାଇଁ ଦାବି କରିଥିଲେ। ସୋମୈୟାଙ୍କ ଅଭିଯୋଗ କ୍ରମେ ଗାମଦେବୀ ପୁଲିସ ଥାନାରେ ମାମଲା ରୁଜୁ ହେବା ପରେ ମୁମ୍ବାଇ ପୁଲିସର FRRO ବିଭାଗ ପକ୍ଷରୁ ଏହି ‘ଲିଭ୍ ଇଣ୍ଡିଆ’ ନୋଟିସ୍ ଜାରି କରାଯାଇଛି।

ଇମ୍ରାନ୍ ଖାନ୍ ୧୯୮୮ରେ ‘କୟାମତ୍ ସେ କୟାମତ୍ ତକ୍’ ଏବଂ ୧୯୯୨ରେ ‘ଜୋ ଜିତା ୱହି ସିକନ୍ଦର’ରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ୨୦୦୮ ମସିହାରେ ‘ଜାନେ ତୁ… ୟା ଜାନେ ନା’ ସିନେମା ଜରିଆରେ ସେ ମୁଖ୍ୟ ନାୟକ ଭାବେ ବଲିଉଡ୍‌ରେ ପାଦ ଥାପିଥିଲେ। ପରବର୍ତ୍ତୀ ସମୟରେ ସେ ‘ଆଇ ହେଟ୍ ଲଭ୍ ଷ୍ଟୋରୀଜ୍’, ‘ମେରେ ବ୍ରଦର୍ କି ଦୁଲ୍ହନ୍’, ‘ଏକ୍ ମୈ ଅନ୍ ଏକ୍ ତୁ’ ଏବଂ ‘ଦିଲ୍ଲୀ ବେଲି’ ଭଳି ବହୁ ଚର୍ଚ୍ଚିତ ସଫଳ ସିନେମାରେ କାମ କରିଥିଲେ।

୨୦୧୫ରେ ‘କଟ୍ଟୀ ବଟ୍ଟୀ’ ପରେ ସିନେମା ଜଗତରୁ ଦୂରେଇ ଯାଇଥିବା ଇମ୍ରାନ୍, ନିକଟରେ ଭୀର ଦାସଙ୍କ ‘ହ୍ୟାପି ପଟେଲ୍: ଖତରନାକ୍ ଜାସୁସ୍’ ସିନେମାରେ ଏକ କାମିଓ ରୋଲ୍‌ରେ ନଜର ଆସିଥିଲେ। ଦୀର୍ଘ ଦିନ ପରେ ସିନେମା ଜଗତକୁ ଫେରିଥିବା ଇମ୍ରାନ୍‌ଙ୍କ ପାଇଁ ଏବେ ଏହି ଆଇନଗତ ସମସ୍ୟା ଏକ ବଡ଼ ଝଟ୍‌କା ସାବ୍ୟସ୍ତ ହୋଇଛି।