ଭୁବନେଶ୍ୱର: ଗରିବ ଓ ଅସହାୟ ପରିବାରଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟରେ ଅନ୍ତ୍ୟୋଦୟ ଗୃହ ଯୋଜନାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଯୋଜନାର ଅବଧିକୁ ଆଉ ଦୁଇ ବର୍ଷ ବଢ଼ାଇ ୨୦୨୯ ପର୍ଯ୍ୟନ୍ତ କରାଯାଇଛି। ଏହା ସହ ଅତିରିକ୍ତ ୨,୯୧,୬୬୬ଟି ଘର ନିର୍ମାଣକୁ ମଞ୍ଜୁରି ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।
୭,୫୫୦ କୋଟି ଟଙ୍କାର ପ୍ରକଳ୍ପ
ଏହି ଯୋଜନା ପାଇଁ ମୋଟ୍ ୭,୫୫୦ କୋଟି ଟଙ୍କାର ବ୍ୟୟ ଅଟକଳ ଅପରିବର୍ତ୍ତିତ ରହିବ। ତେବେ ଘର ମରାମତି ପାଇଁ ଉଦ୍ଦିଷ୍ଟ ୩,୫୦୦ କୋଟି ଟଙ୍କାକୁ ନୂଆ ଘର ନିର୍ମାଣ ଦିଗରେ ବିନିଯୋଗ କରାଯିବ। ଏହା ଫଳରେ ଅଧିକ ଯୋଗ୍ୟ ପରିବାର ଏହି ଯୋଜନାରେ ସାମିଲ ହୋଇ ପକ୍କା ଘର ପାଇବାର ସୁଯୋଗ ପାଇବେ।
ନୂଆ ହିତାଧିକାରୀ ଚିହ୍ନଟ ପାଇଁ ସର୍ଭେ
ଅତିରିକ୍ତ ଘର ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ନିମନ୍ତେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଶୀଘ୍ର ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯୋଜନା ଅଧୀନରେ ୪୮,୫୦୦ ଟଙ୍କା କିମ୍ବା ତା’ଠାରୁ କମ୍ ସହାୟତା ପାଇଥିବା ପରିବାରଙ୍କ ସମେତ ଅନ୍ୟ ଯୋଗ୍ୟ ପରିବାରଙ୍କୁ ମଧ୍ୟ ବିଚାରକୁ ନିଆଯିବ।
ନିର୍ଦ୍ଧାରିତ ସମୟରେ ଘର ସାରିଲେ ଅଧିକ ପ୍ରୋତ୍ସାହନ
ଘର ନିର୍ମାଣ ଶୀଘ୍ର ଶେଷ କରିବାକୁ ହିତାଧିକାରୀଙ୍କ ପାଇଁ ପ୍ରୋତ୍ସାହନ ରାଶିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ୪ ମାସ ମଧ୍ୟରେ ଘର ନିର୍ମାଣ ଶେଷ କଲେ ୨୦ ହଜାର ଟଙ୍କା ମିଳୁଥିବା ବେଳେ ଏବେ ୫ ମାସ ମଧ୍ୟରେ କାମ ଶେଷ କଲେ ୩୫ ହଜାର ଟଙ୍କା ମିଳିବ। ସେହିପରି ୭ ମାସ ମଧ୍ୟରେ ଘର ନିର୍ମାଣ ଶେଷ କଲେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ; ପୂର୍ବରୁ ୬ ମାସ ମଧ୍ୟରେ ଘର ସାରିଲେ ଏହି ରାଶି ୧୦ ହଜାର ଟଙ୍କା ଥିଲା।
ଅନ୍ତ୍ୟୋଦୟ ଗୃହ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହାୟତା ପାଇବାକୁ ଯୋଗ୍ୟ ହୋଇନଥିବା ଗରିବ ଓ ଅସୁରକ୍ଷିତ ପରିବାରଙ୍କୁ ଘର ଯୋଗାଇଦେବା। ପ୍ରାରମ୍ଭରେ ଏହି ଯୋଜନାରେ ୫ ଲକ୍ଷ ପରିବାରକୁ ଘର ଦେବାର ଲକ୍ଷ୍ୟ ରଖାଯାଇଥିଲା।




