ଭୁବନେଶ୍ୱର: ୧୯୯୭ ମସିହାରେ ଆଧୁନିକ ଓଡ଼ିଶାର ନିର୍ମାତା ବିଜୁ ପଟ୍ଟନାୟକଙ୍କ ଆକସ୍ମିକ ବିୟୋଗ ପରେ ଓଡ଼ିଶା ରାଜନୀତିରେ ସୃଷ୍ଟି ହୋଇଥିଲା ଏକ ବଡ଼ ଶୂନ୍ୟସ୍ଥାନ। ସେହି ଶୂନ୍ୟସ୍ଥାନକୁ ପୂରଣ କରିବାକୁ ଆକସ୍ମିକ ଭାବେ ରାଜନୀତି ମଇଦାନକୁ ଓହ୍ଲାଇଥିଲେ ନବୀନ ପଟ୍ଟନାୟକ। ୧୯୯୭ରୁ ୨୦୨୪… ଦୀର୍ଘ ୨୭ ବର୍ଷର ଲମ୍ବା ରାଜନୈତିକ ଯାତ୍ରା।

ସେଦିନ ଯେଉଁ ‘ନବୀନ’ ଅନୁକମ୍ପା ପାଇଁ ରାଜନୀତିକୁ ଆସିଛନ୍ତି ବୋଲି ଆକଳନ କରାଯାଉଥିଲା, ସେ ନିଜ ସ୍ୱଚ୍ଛ ଭାବମୂର୍ତ୍ତି ଏବଂ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ବଳରେ ନିଜକୁ ‘ଓଡ଼ିଶା ମାଟିର ନେତା ନମ୍ବର-୧’ ଭାବେ ପ୍ରମାଣିତ କଲେ। ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶା ଶାସନ କରିଥିବା ଏହି ଜନପ୍ରିୟ ନେତା ଆଜି ୮୦ ବର୍ଷରେ ପାଦ ଥାପିଛନ୍ତି।

୧୯୯୭ ଅପ୍ରେଲ ୧୭ରେ ବିଜୁବାବୁଙ୍କ ପରଲୋକ ପରେ ଆସ୍କା ଲୋକସଭା ଉପ-ନିର୍ବାଚନରୁ ସାଂସଦ ଭାବେ ନବୀନଙ୍କ ସକ୍ରିୟ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ୧୯୯୮ରେ ସେ ଏନ୍‌ଡିଏ ସରକାରରେ କେନ୍ଦ୍ର ଖଣିମନ୍ତ୍ରୀ ହୋଇଥିଲେ। ଏହାପରେ ବିଜୁ ଜନତା ଦଳ ଗଠନ କରି ସେ ୨୦୦୦ ମସିହାରେ ହିଞ୍ଜିଳି ଆସନରୁ ଜିତି ବିଧାନସଭାକୁ ପ୍ରବେଶ କଲେ ଏବଂ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ।

ଶାସନ ଭାର ଗ୍ରହଣ କରିବା ପରେ ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇ ସେ ନିଜର ସ୍ୱଚ୍ଛ ଭାବମୂର୍ତ୍ତି ଗଠନ କରିଥିଲେ। ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ କ୍ରମାଗତ ଭାବେ ବିଜୟୀ ହୋଇ ସେ ଅପ୍ରତିଦ୍ୱନ୍ଦ୍ୱୀ ନେତା ସାବ୍ୟସ୍ତ ହୋଇଥିଲେ। ୨୦୦୯ରେ ବିଜେପି ସହ ମେଣ୍ଟ ଭାଙ୍ଗି ଏକାକୀ ଲଢ଼ିବା କିମ୍ବା ୨୦୧୪ରେ ସାଂଗଠନିକ କୌଶଳୀ ପ୍ୟାରୀମୋହନ ମହାପାତ୍ରଙ୍କ ବିନା ଦଳକୁ ବହୁମତ ଦେବା ନବୀନ ପ୍ରତ୍ୟେକଟି ମାଷ୍ଟରଷ୍ଟ୍ରୋକ୍‌ରେ ନିଜର କ୍ଷମତା ଜାହିର କରିଥିଲେ।

ଟଙ୍କିକିଆ ଚାଉଳରୁ ଆରମ୍ଭ କରି ‘ମମତା’, ‘ହରିଶ୍ଚନ୍ଦ୍ର’, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ (BSKY) ଭଳି ଅଗଣିତ ଯୋଜନା ନବୀନଙ୍କୁ ଗାଁ ଗାଁରେ ଏକ ଆପଣାର ନାଁରେ ପରିଣତ କରିଥିଲା। ସେ କେବଳ ଶାସକ ନୁହଁନ୍ତି, ବରଂ ଜଣେ ବିଶ୍ୱସନୀୟ ସେବକ ଭାବେ ଓଡ଼ିଶାବାସୀଙ୍କ ହୃଦୟ ଜିତିପାରିଥିଲେ।

ଆଜି ସରକାରରେ ନଥାଇ ବିରୋଧୀ ଦଳ ନେତା ଭାବେ ସେ ଓଡ଼ିଶାବାସୀଙ୍କ ଗ୍ରହଣୀୟତା ଓ ଶ୍ରଦ୍ଧାର ପାତ୍ର ହୋଇ ରହିଛନ୍ତି। ତାଙ୍କର ୮୦ତମ ଜନ୍ମଦିନ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଦୀର୍ଘାୟୁ ଓ ଆରୋଗ୍ୟ ପ୍ରଦାନ କରନ୍ତୁ, ଏହାହିଁ ସମଗ୍ର ଓଡ଼ିଶାବାସୀଙ୍କ ପ୍ରାର୍ଥନା।