ଇମ୍ଫାଲ: ମଣିପୁରର କାମଜୋଙ୍ଗ ଜିଲ୍ଲାରେ ପୁଣି ଏକ ଭୟାବହ ହିଂସାକାଣ୍ଡ ସାମ୍ନାକୁ ଆସିଛି। ଗୁରୁବାର ସନ୍ଧ୍ୟାରେ ଦୁଇଟି ମୋଟରସାଇକେଲକୁ ଲକ୍ଷ୍ୟ କରି ସନ୍ଦିଗ୍ଧ ଆତଙ୍କବାଦୀମାନେ କରିଥିବା ଆମ୍ବୁସ୍ ଆକ୍ରମଣରେ ଜଣେ ମଧ୍ୟବୟସ୍କା କୁକି ଜନଜାତି ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ସାଧାରଣ ନାଗରିକ ନିଖୋଜ ଅଛନ୍ତି।
ପୁଲିସର ସୂଚନା ଅନୁଯାୟୀ, ୪ ଜଣ ନାଗରିକ ଦୁଇଟି ମୋଟରସାଇକେଲ୍ରେ ଆବଶ୍ୟକୀୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ଫାଇକୋହ ଅଭିମୁଖେ ଯାଉଥିବା ବେଳେ ଫାଇକୋହ ଏବଂ ମୋଲ୍ଭାଇଲୁପ୍ ମଧ୍ୟବର୍ତ୍ତୀ ରାସ୍ତାରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ହାଟନେଇମକିମ୍ ହାଓକିପ୍ ନାମ୍ନୀ ଜଣେ ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ସ୍ୱାମୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅନ୍ୟ ଦୁଇଜଣ ନାଗରିକଙ୍କର କୌଣସି ପତ୍ତା ମିଳୁନାହିଁ।
ଏହି ନିର୍ଦ୍ଦୟୀ ଆକ୍ରମଣକୁ ‘କୁକି ଇନ୍ପି ମଣିପୁର’ ସମେତ ବିଭିନ୍ନ କୁକି ସଂଗଠନ ପକ୍ଷରୁ କଡ଼ା ଭାଷାରେ ନିନ୍ଦା କରାଯାଇଛି। KIM ର ସୂଚନା ଓ ପ୍ରଚାର ସମ୍ପାଦକ ଜାଙ୍ଗହୋଲୁନ୍ ହାଓକିପ୍ ଏକ ବିବୃତି ଜାରି କରି ‘ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ୍ ଅଫ୍ ନାଗାଲିମ୍’ (NSCN-IM) ର ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ନିରୀହ ମହିଳା ଓ ଶିଶୁମାନଙ୍କୁ ବାରମ୍ବାର ଲକ୍ଷ୍ୟ କରାଯିବା ମାନବିକତାର ସଂପୂର୍ଣ୍ଣ ଉଲ୍ଲଂଘନ ବୋଲି ସେ କହିଛନ୍ତି।
ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଏଭଳି ଗୋଷ୍ଠୀଗୁଡ଼ିକ ବାରମ୍ବାର ଆକ୍ରମଣ କରୁଛନ୍ତି ବୋଲି KIM ଅଭିଯୋଗ କରିବା ସହ ତୁରନ୍ତ ଦୃଢ଼ ସୁରକ୍ଷା କାର୍ଯ୍ୟାନୁଷ୍ଠାନ ଦାବି କରିଛି। ନିଖୋଜ ନାଗରିକମାନଙ୍କୁ ଉଦ୍ଧାର କରିବା ଏବଂ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ସୁରକ୍ଷା ବାହିନୀ ଓ ସ୍ଥାନୀୟ ଲୋକଙ୍କ ମିଳିତ ସହଯୋଗରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ, ତେବେ ପରିସ୍ଥିତି ଅଧିକ ଅଶାନ୍ତ ହେବ ବୋଲି ସଂଗଠନ ଚେତାବନୀ ଦେଇଛି।




