ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଅତ୍ୟନ୍ତ ଉତ୍ସାହ ଓ ଉତ୍ତେଜନା ମଧ୍ୟରେ ଶେଷ ହୋଇଛି ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନ। ରାତିତମାମ ନାଟକୀୟ ମୋଡ଼ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜ୍ୟର ୨୮୫ଟି କଲେଜ ଓ ବିଶ୍ୱବିଦ୍ୟାଳୟର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଆଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବଂ ବିଜୁ ଛାତ୍ର ଜନତା ଦଳ ମଧ୍ୟରେ ସିଧାସଳଖ ଓ କଡ଼ା ମୁକାବିଲା ଦେଖିବାକୁ ମିଳିଥିବା ବେଳେ ଦୁଇ ସଂଗଠନ ନିଜ ନିଜର ବିଜୟ ଦାବି କରିଛନ୍ତି।

ସରକାରୀ ତଥ୍ୟ ଅନୁଯାୟୀ, ଗୁରୁବାର ରାତି ୧୦ଟା ସୁଦ୍ଧା ୨୪୭ଟି କଲେଜର ଫଳାଫଳ ପ୍ରକାଶ ପାଇଥିଲା। ଏଥିରେ ସମୁଦାୟ ୨୬୦୨ ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ଯେଉଁଥିରୁ ୧୧୬୯ ଜଣ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ସେହିପରି ୬ଟି ବିଶ୍ୱବିଦ୍ୟାଳୟରେ ମୋଟ ୬୬ ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ଯେଉଁଥିରୁ ୪୨ ଜଣ ଭୋଟ୍ ଜରିଆରେ ଏବଂ ୨୪ ଜଣ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ଜିତିଛନ୍ତି।

ଏବିଭିପି ଓ ବିସିଜେଡିର ଦାବି

ସଂଗଠନଗୁଡ଼ିକର ଦାବି ଅନୁଯାୟୀ:

  • ABVP: ୧୪୨ଟି କଲେଜରେ ସଭାପତି ପଦବୀ ହାତେଇଥିବା ଦାବି କରିଛି।
  • BCJD: ୧୨୧ଟି କଲେଜରେ ସଭାପତି ପଦରେ ବିଜୟୀ ହୋଇଥିବା କହିଛି।
  • NSUI: ୫ଟି କଲେଜରେ ସଭାପତି ପଦବୀ ଜିତିଛି।

ଉତ୍କଳରେ ଏବିଭିପି, ରମାଦେବୀରେ ବିସିଜେଡିର ବାଜିମାତ୍

ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଏବିଭିପି ପ୍ରାର୍ଥୀ ସଭାପତି ଓ ସାଧାରଣ ସମ୍ପାଦକ ପଦବୀରେ ବିଜୟୀ ହୋଇଛନ୍ତି। ଏହାସହ ବିଜେବି କଲେଜ, ରାଜଧାନୀ କଲେଜ ଏବଂ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ମଧ୍ୟ ଏବିଭିପି ବାଜିମାତ୍ କରିଛି।

ଅନ୍ୟପଟେ, ବିଳମ୍ବିତ ରାତି ପ୍ରାୟ ୨:୩୫ ମିନିଟ୍‌ରେ ଫଳାଫଳ ଘୋଷଣା ହୋଇଥିବା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିସିଜେଡି ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ସହ ସମସ୍ତ ମୁଖ୍ୟ ପଦବୀରେ ବୃହତ୍‌ ବ୍ୟବଧାନରେ ବିଜୟୀ ହୋଇଛି। ରେଭେନ୍ସା ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ମିଶ୍ରିତ ଫଳାଫଳ ଆସିଥିବା ବେଳେ ଶୈଳବାଳା କଲେଜ, ଖଲ୍ଲିକୋଟ କଲେଜ ଏବଂ ନିମାପଡ଼ା କଲେଜରେ ସ୍ୱାଧୀନ ପ୍ରାର୍ଥୀ ବିଜୟ ହୋଇଛନ୍ତି।

ନିର୍ବାଚିତ ହୋଇଥିବା ସମସ୍ତ ଛାତ୍ରନେତା ଆଜି ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିବେ।