ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେବା ପରେ ନବନିର୍ବାଚିତ ସମସ୍ତ ଛାତ୍ର ପ୍ରତିନିଧିଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାସହ ନିଜ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରି କ୍ୟାମ୍ପସରେ ଗଣତାନ୍ତ୍ରିକ ଅଧିକାରକୁ ପୁନଃପ୍ରତିଷ୍ଠିତ କରିଥିବା ସେ ପ୍ରକାଶ କରିଛନ୍ତି।
ସୋସିଆଲ ମିଡିଆରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ପୂର୍ବତନ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ନିଜର ସଙ୍କୁଚିତ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ପୂର୍ବ ସରକାର ଦୀର୍ଘ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖିଥିଲେ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କ ଗଣତାନ୍ତ୍ରିକ ସ୍ୱର ଓ ନେତୃତ୍ୱ ନେବାର ଅଧିକାରରୁ ବଞ୍ଚିତ ହୋଇଥିଲେ। ତେବେ ବର୍ତ୍ତମାନର ସରକାର ନିଜ କଥା ରଖି ନିର୍ବାଚନ ସଫଳତାର ସହ ପରିଚାଳନା କରି କ୍ୟାମ୍ପସରେ ଗଣତନ୍ତ୍ରର ଆତ୍ମାକୁ ଫେରାଇ ଆଣିଛନ୍ତି।
ମୁଖ୍ୟମନ୍ତ୍ରୀ ନବନିର୍ବାଚିତ ଛାତ୍ରନେତାମାନଙ୍କ ଉପରେ ଦୃଢ଼ ବିଶ୍ୱାସ ପ୍ରକଟ କରି କହିଛନ୍ତି ଯେ, ସେମାନେ ନିଜ ନିଷ୍ଠା, ସାଧୁତା ଓ ସତୋଟତା ବଳରେ ସାଥୀ ଛାତ୍ରଛାତ୍ରୀଙ୍କ ଭରସା ବଜାୟ ରଖିବେ। କ୍ୟାମ୍ପସରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ମଜବୁତ କରିବା ସହ ‘ବିକଶିତ ଓଡ଼ିଶା’ ଗଠନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ। ମୁଖ୍ୟମନ୍ତ୍ରୀ ସମସ୍ତ ବିଜୟୀ ପ୍ରାର୍ଥୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳ କାର୍ଯ୍ୟକାଳ କାମନା କରିଛନ୍ତି।




