ଭୁବନେଶ୍ୱର: ଦୁର୍ଗାପୂଜା ତଥା ଦଶହରା ଉପଲକ୍ଷେ ଓଡ଼ିଶା ହାଇକୋର୍ଟରେ ଦୀର୍ଘ ସପ୍ତାହବ୍ୟାପୀ ଛୁଟି ରହିବ। ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଆଜି ଅର୍ଥାତ୍ ଅକ୍ଟୋବର ୧୬ ତାରିଖ ଶୁକ୍ରବାର ହେଉଛି ପୂଜା ଛୁଟି ପୂର୍ବରୁ କୋର୍ଟର ଶେଷ କାର୍ଯ୍ୟଦିବସ। ଏହାପରେ ଆସନ୍ତା ଅକ୍ଟୋବର ୧୯ ତାରିଖ (ସୋମବାର) ରୁ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ କୋର୍ଟ ବନ୍ଦ ରହିବ। ଶନିବାର ଓ ରବିବାର (ଅକ୍ଟୋବର ୧୭ ଓ ୧୮) ସାଧାରଣ ଛୁଟି ପଡ଼ୁଥିବାରୁ, ଆସନ୍ତା ଅକ୍ଟୋବର ୨୭ ତାରିଖରେ ହାଇକୋର୍ଟ ପୁନଃ କାର୍ଯ୍ୟକ୍ଷମ ହେବ।
ପୂଜା ଛୁଟି ସମୟରେ ଜରୁରୀ ମାମଲାର ଶୁଣାଣି ପାଇଁ ଭାକେସନ୍ ବେଞ୍ଚ କେବଳ ଅକ୍ଟୋବର ୨୩ ତାରିଖରେ ବସିବ। ସେହିଦିନ ୩ଟି ବେଞ୍ଚ କାର୍ଯ୍ୟ କରିବେ। ଜଷ୍ଟିସ୍ ଶଶୀକାନ୍ତ ମିଶ୍ର ଏବଂ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଏକ ମିଳିତ ବେଞ୍ଚରେ ବସି ମାମଲାର ଶୁଣାଣି କରିବେ। ଏହାପରେ ଉଭୟ ବିଚାରପତି ସ୍ୱତନ୍ତ୍ର ଭାବେ ସେମାନଙ୍କ ବେଞ୍ଚରେ ବିଭିନ୍ନ ମାମଲାର ଶୁଣାଣି କରିବେ।
ଏହା ବ୍ୟତୀତ, ଛୁଟିଦିନ ମଧ୍ୟରେ ଅକ୍ଟୋବର ୨୧, ୨୨ ଏବଂ ୨୩ ତାରିଖରେ ହାଇକୋର୍ଟ କାର୍ଯ୍ୟାଳୟ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖଲା ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।




