ନବରଙ୍ଗପୁର: ଜିଲ୍ଲାକୁ ସମ୍ପୂର୍ଣ୍ଣ ମଦମୁକ୍ତ ଘୋଷଣା କରିବା ସହ ବେଆଇନ ମଦ କାରବାର ବନ୍ଦ କରିବା ଦାବିରେ ହଜାର ହଜାର ମହିଳା ରାସ୍ତାକୁ ଓହ୍ଲାଇଛନ୍ତି। ଅନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ନାରୀ ମହାସଂଘ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି।

ଶୁକ୍ରବାର ଚାଉଁରିଆଗୁଡ଼ା ଛକସ୍ଥିତ ଚାଉଁରିଆ ଭୈରବ ମନ୍ଦିରରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ମହିଳାମାନେ ହାତରେ ବାଉଁଶ ଠେଙ୍ଗା ଓ ଲାଠି ଧରି ପ୍ରତିବାଦ କରିଥିଲେ। ମଧ୍ୟାହ୍ନ ୧୨ଟାରୁ ୨ଟା ପର୍ଯ୍ୟନ୍ତ ଜାତୀୟ ରାଜପଥରେ ମଧ୍ୟ ଆନ୍ଦୋଳନ ଚାଲିଥିଲା।

୧୦ ଦଫା ଦାବିପତ୍ର ପ୍ରଦାନ

ଜିଲ୍ଲାପାଳ ମଧୁମିତାଙ୍କୁ ଅପେକ୍ଷା କରିବା ପରେ ମହିଳାମାନେ ତାଙ୍କୁ ସ୍ୱାଗତ କରିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ, ଏସ୍‌ପି ଓ ଅବକାରୀ ଏସ୍‌ପିଙ୍କୁ ପୃଥକ୍‌ ପୃଥକ୍‌ ଭାବେ ୧୦ ଦଫା ଦାବିପତ୍ର ଦିଆଯାଇଥିଲା।

ଦାବିଗୁଡ଼ିକ ମଧ୍ୟରେ ନବରଙ୍ଗପୁରକୁ ସମ୍ପୂର୍ଣ୍ଣ ମଦମୁକ୍ତ ଜିଲ୍ଲା ଘୋଷଣା କରିବା, ବେଆଇନ ମଦ ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ବିନା ଲାଇସେନ୍ସରେ ଚାଲୁଥିବା ମଦ ଦୋକାନ ଓ ଭାଟି ବନ୍ଦ କରିବା ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବା ଆଦି ରହିଛି।

ମଦ ବିକ୍ରି ଯୋଗୁଁ ପାରିବାରିକ ଅଶାନ୍ତି ଅଭିଯୋଗ

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଶୀ, ପାଉଚ୍‌ ଓ ବିଦେଶୀ ମଦ ସହ ନକଲି ବିଦେଶୀ ମଦର ବିକ୍ରି ବଢ଼ୁଥିବା ମହାସଂଘ ଅଭିଯୋଗ କରିଛି। ଏହାଦ୍ୱାରା ଗାଁଗୁଡ଼ିକରେ ପାରିବାରିକ ଅଶାନ୍ତି ଓ ହିଂସା ବଢ଼ୁଥିବା ଦାବି କରିଛନ୍ତି ଆନ୍ଦୋଳନକାରୀ।

ମକିଆ, ଧନସୁଲି, ଅଞ୍ଚଳଗୁମ୍ମା, ପଣ୍ଡିତଗୁଡ଼ା ଓ ମଇଦଲପୁର ଅଞ୍ଚଳରେ ଥିବା ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଓ ଭାଟିଗୁଡ଼ିକୁ ସ୍ୱତନ୍ତ୍ର ଗ୍ରାମସଭା ନହେବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ମଧ୍ୟ ଦାବି ହୋଇଛି। ଏହା ସହ ପଞ୍ଚମ ଅନୁସୂଚୀଭୁକ୍ତ ଅଞ୍ଚଳରେ ପେସା ଆଇନ ଅନୁଯାୟୀ ମଦ କାରବାର ବନ୍ଦ କରିବା ନିମନ୍ତେ ଗ୍ରାମସଭା ଆୟୋଜନ କରିବାକୁ ମହାସଂଘ ଦାବି କରିଛି।

ଆନ୍ଦୋଳନକାରୀଙ୍କୁ ଧମକ ଦେଉଥିବା ମଦ ବ୍ୟବସାୟୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଦାବି ପୂରଣ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବ ବୋଲି ମହିଳାମାନେ ଆଶା ପ୍ରକାଶ କରିଛନ୍ତି।