ଶ୍ରୀନଗର: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଗଠନ ହୋଇଛି ଆଉ ଏକ ନୂଆ ଜିଲ୍ଲା। ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଶୁକ୍ରବାର ସାଙ୍କୁକୁ ଲଦାଖର ଅଷ୍ଟମ ଜିଲ୍ଲା ଭାବେ ଘୋଷଣା କରିଛନ୍ତି। ଏହା ସହ ଏହି ଅଞ୍ଚଳର ଲୋକଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି।

ନୂଆ ଜିଲ୍ଲା ଗଠନ ଫଳରେ ସ୍ଥାନୀୟ ଲୋକଙ୍କ ନିକଟରେ ପ୍ରଶାସନିକ ସେବା ଅଧିକ ସହଜରେ ପହଞ୍ଚିବା ସହ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।

ଏପ୍ରିଲ୍‌ରେ ଗଠନ ହୋଇଥିଲା ୫ଟି ନୂଆ ଜିଲ୍ଲା

ଉପରାଜ୍ୟପାଳ ସାକ୍ସେନା ସୋସିଆଲ୍‌ ମିଡିଆରେ ଏହି ଘୋଷଣା କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ‘ସବ୍‌କା ସାଥ୍‌, ସବ୍‌କା ବିକାଶ’ ଦୃଷ୍ଟିକୋଣ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ସାଙ୍କୁ ଅଞ୍ଚଳର ଲୋକଙ୍କ ଆକାଂକ୍ଷା ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବୋଲି ସେ କହିଛନ୍ତି।

ଏହି ଜିଲ୍ଲା ଗଠନରେ ସ୍ଥାନୀୟ ସାମାଜିକ ଓ ଧାର୍ମିକ ସଂଗଠନ ଅଞ୍ଜୁମନ-ଏ-ସାହିବ ଜମାନର ଭୂମିକାକୁ ଉପରାଜ୍ୟପାଳ ପ୍ରଶଂସା କରିଛନ୍ତି। ସଂଗଠନର ମୁଖ୍ୟ ପୃଷ୍ଠପୋଷକ ସୟଦ ମହମ୍ମଦ ରଜଭି ଏବଂ ଅଧ୍ୟକ୍ଷ ଶେଖ ସାଦିକ ବଲାଗିଙ୍କ ଉଦ୍ୟମକୁ ସେ ସ୍ୱୀକାର କରିଛନ୍ତି। ଏଥିସହ କାର୍ଗିଲ୍‌ ସ୍ୱୟଂଶାସିତ ପାହାଡ଼ି ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ଡାକ୍ତର ଜାଫର ଅଖୁନ୍‌, ଲଦାଖ ସାଂସଦ ହନିଫା ଜାନ୍‌ ଓ ଲେହର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ତାଶି ଗ୍ୟାଲସନ୍‌ଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି।

ଚଳିତ ବର୍ଷ ଏପ୍ରିଲ୍‌ରେ ଲଦାଖରେ ନୁବ୍ରା, ଶାମ୍‌, ଚାଙ୍ଗଥାଙ୍ଗ, ଜାନ୍‌ସ୍କର ଓ ଦ୍ରାସ୍‌ ନାମରେ ପାଞ୍ଚଟି ନୂଆ ଜିଲ୍ଲା ଗଠନ ପାଇଁ ଘୋଷଣା ହୋଇଥିଲା। ଏହାଦ୍ୱାରା ଜିଲ୍ଲା ସଂଖ୍ୟା ଦୁଇରୁ ସାତକୁ ବୃଦ୍ଧି ପାଇଥିଲା। ଏବେ ସାଙ୍କୁକୁ ଅଷ୍ଟମ ଜିଲ୍ଲା ଭାବେ ସାମିଲ କରାଯାଇଛି।

କାର୍ଗିଲ୍‌ରୁ ଅଲଗା ହେଲା ସାଙ୍କୁ ଜିଲ୍ଲା

ଲଦାଖ ପ୍ରଶାସନର ଅକ୍ଟୋବର ୧୬ ତାରିଖର ବିଜ୍ଞପ୍ତି ଅନୁଯାୟୀ, ସାଙ୍କୁ ନୂଆ ଜିଲ୍ଲାର ମୁଖ୍ୟାଳୟ ହେବ। ଏହି ଜିଲ୍ଲାରେ ସାଙ୍କୁ, ଜିଏମ୍‌ ପୋରେ, ଟିଏସ୍‌ଜି ଓ ତାଇସୁରୁ ତହସିଲ୍‌ ସହ ନିର୍ଦ୍ଧାରିତ ରାଜସ୍ୱ ଗ୍ରାମଗୁଡ଼ିକ ସାମିଲ ହେବେ। ଏହି ଅଞ୍ଚଳଗୁଡ଼ିକୁ କାର୍ଗିଲ୍‌ ଜିଲ୍ଲାରୁ ଅଲଗା କରାଯାଇଛି।

ସରକାରୀ ଗେଜେଟ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ନୂଆ ଜିଲ୍ଲା ଗଠନ ସମ୍ପର୍କିତ ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଏହାଦ୍ୱାରା ପ୍ରଶାସନିକ କାର୍ଯ୍ୟରେ ସୁବିଧା ହେବା ସହ ସ୍ଥାନୀୟ ଲୋକଙ୍କୁ ସରକାରୀ ସେବା ପାଇଁ ଦୂରକୁ ଯିବାକୁ ପଡ଼ିବା ସମସ୍ୟା କମିବ ବୋଲି ଆଶା କରାଯାଉଛି।