ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ଦେଶର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ ହୋଇ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୯୮ ବର୍ଷୀୟ ଆଡଭାନୀଙ୍କୁ ଛାତିରେ ସଂକ୍ରମଣ ହେବା ପରେ ଶୁକ୍ରବାର ସନ୍ଧ୍ୟାରେ ହସ୍ପିଟାଲ ନିଆଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୭ଟା ୩୦ ମିନିଟ୍ରେ ଆଡଭାନୀ ହସ୍ପିଟାଲରେ ପହଞ୍ଚିଥିଲେ। ତାଙ୍କୁ ହସ୍ପିଟାଲର ଫୁସ୍ଫୁସ୍ ରୋଗ ବିଭାଗରେ ଭର୍ତ୍ତି କରାଯାଇ ଡାକ୍ତରଙ୍କ ନିରୀକ୍ଷଣରେ ଚିକିତ୍ସା କରାଯାଉଛି।
ପୂର୍ବରୁ ମଧ୍ୟ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି
ବୟସଜନିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଚଳିତ ବର୍ଷ ମେ’ ମାସରେ ମଧ୍ୟ ଆଡଭାନୀ ସମାନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିଛି ଦିନ ଚିକିତ୍ସା ପରେ ତାଙ୍କୁ ଡିସ୍ଚାର୍ଜ କରାଯାଇଥିଲା।
ଅକ୍ଟୋବର ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ତାଙ୍କ ବାସଭବନକୁ ଯାଇ ଆଡଭାନୀଙ୍କୁ ଭେଟିଥିଲେ। ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ୨୦୦୧ ଅକ୍ଟୋବର ୭ରେ ଦାୟିତ୍ୱ ଗ୍ରହଣ କରିବାଠାରୁ ସରକାରୀ ନେତୃତ୍ୱରେ ୨୫ ବର୍ଷ ପୂରଣ କରିବା ଅବସରରେ ମୋଦୀ ତାଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ।




