ନୂଆଦିଲ୍ଲୀ: ପଞ୍ଜାବର ଜେଲ୍‌ଗୁଡ଼ିକରୁ ଚାଲିଥିବା ବେଆଇନ ଡ୍ରଗ୍ସ କାରବାର ଏବଂ ଏହାସହ ଜଡ଼ିତ ଅର୍ଥ ହେରଫେର ର ଜାତୀୟ ତଦନ୍ତକାରୀ ସଂସ୍ଥା ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖିଛନ୍ତି ପଞ୍ଜାବ ବିଜେପି ନେତା ସୁନିଲ ଜାଖଡ଼। ରାଜ୍ୟର ଆମ୍ ଆଦ୍‌ମୀ ପାର୍ଟି ସରକାର ଡ୍ରଗ୍ସ ମାଫିଆଙ୍କୁ ସଂରକ୍ଷଣ ଦେଉଥିବା ଅଭିଯୋଗ ଆଣି ସେ ଏହି ଚିଠି ଲେଖିଛନ୍ତି।

ମାନସାରେ ଡ୍ରଗ୍ସ ବିରୋଧୀ ସାମାଜିକ କର୍ମୀ ପରବିନ୍ଦର ସିଂହ ଝୋଟାଙ୍କ ନିର୍ମମ ହତ୍ୟାକାଣ୍ଡକୁ ଉଦ୍ଧୃତ କରି ଜାଖଡ଼ ଲେଖିଛନ୍ତି ଯେ, “ଗଭୀର ଦୁଃଖର ସହ ମୁଁ ଆପଣଙ୍କୁ ଚିଠି ଲେଖୁଛି। ପଞ୍ଜାବରେ ଡ୍ରଗ୍ସ କାରଣରୁ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ନିଶା କାରବାରକୁ ବିରୋଧ କରିବାରୁ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ଆପଣଙ୍କ ମନ୍ତ୍ରଣାଳୟ ଆଗରୁ ପଞ୍ଜାବ ସରକାରଙ୍କଠାରୁ ଜବାବ ମାଗିସାରିଛି।”

୨୦୨୪ ମସିହାରେ ମାନସାରେ ଗିରଫ ହୋଇଥିବା ଡ୍ରଗ୍ସ ଇନ୍ସପେକ୍ଟର ସେସମ୍ କୁମାରଙ୍କ ମାମଲାକୁ ଜାଖଡ଼ ମନେ ପକାଇ ଦେଇଛନ୍ତି। ପୋଲିସ ତଦନ୍ତରୁ ପ୍ରକାଶ ପାଇଥିଲା ଯେ, ଏହି ଅଫିସର ଜେଲ୍‌ରେ ଥିବା କୁଖ୍ୟାତ ନିଶା ବ୍ୟବସାୟୀଙ୍କ ସହ ମିଶି ଏକ ବଡ଼ ଗ୍ୟାଙ୍ଗ୍ ଚଳାଉଥିଲେ। ତାଙ୍କ ପାଖରୁ ୭.୦୯ କୋଟି ଟଙ୍କାର ୨୪ଟି ବ୍ୟାଙ୍କ ଆକାଉଣ୍ଟ, ୧.୪୯ କୋଟିର ନଗଦ ଟଙ୍କା, ସୁନା ଏବଂ ୨.୪୦ କୋଟିର ସ୍ଥାବର-ଅସ୍ଥାବର ସମ୍ପତ୍ତି ଜବତ ହୋଇଥିଲା।

ଜାଖଡ଼ ଅଭିଯୋଗ କରିଛନ୍ତି ଯେ, ଏତେ ବଡ଼ ସୀମାପାର ଡ୍ରଗ୍ସ ନେଟୱାର୍କ ଏବଂ କୋଟି କୋଟି ଟଙ୍କାର କାରବାର ସାମ୍ନାକୁ ଆସିବା ପରେ ମଧ୍ୟ ଆପ୍ ସରକାର ଏହାକୁ NIA କିମ୍ବା ED କୁ ହସ୍ତାନ୍ତର କରିନଥିଲେ। ବରଂ ଜାମିନରେ ଆସିବା ପରେ ଉକ୍ତ ଇନ୍ସପେକ୍ଟରଙ୍କୁ ପୁନଃ ଚାକିରିରେ ଅବସ୍ଥାପିତ କରାଯାଇ ମୁଖ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯାଇଛି।

ସୁନିଲ ଜାଖଡ଼ ଦାବି କରିଛନ୍ତି ଯେ, କାହା ନିର୍ଦ୍ଦେଶରେ ଏବଂ କେଉଁ ସ୍ୱାର୍ଥରେ ଏହି ଅଭିଯୁକ୍ତ ଅଫିସରଙ୍କୁ ପୁନଃ ପୋଷ୍ଟିଂ ଦିଆଗଲା, ତାହାର ନିରପେକ୍ଷ ତଦନ୍ତ NIA ଏବଂ ED ଦ୍ୱାରା ହେବା ଆବଶ୍ୟକ। ଜେଲ୍‌ରୁ ଚାଲିଥିବା ଏହି ରାକେଟ୍ ଏବଂ ଆପ୍ ସରକାରଙ୍କ କିଛି ନେତାଙ୍କ ସଂପୃକ୍ତିକୁ ପଦାକୁ ଆଣିବା ପାଇଁ କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ଜରୁରୀ ବୋଲି ସେ ଦୋହରାଇଛନ୍ତି।