ଭୁବନେଶ୍ୱର: ଜାତୀୟ ସ୍ତରରେ ଓଡ଼ିଶାର ଗୌରବ ବଢ଼ାଇଛନ୍ତି ଭୁବନେଶ୍ୱରସ୍ଥିତ ଓଡ଼ିଶା ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (OUTR)ର ଏରୋସ୍ପେସ୍‌ କ୍ଲବ୍‌ର ଚାରି ଛାତ୍ର। ଦିଲ୍ଲୀସ୍ଥିତ ଆଇଆଇଟିରେ ଆୟୋଜିତ ଏକାଦଶ ବୋଇଂ ଜାତୀୟ ଏରୋମଡେଲିଂ ପ୍ରତିଯୋଗିତାରେ ଦଳ ପ୍ରଥମ ପୁରସ୍କାର ହାସଲ କରିଛି।

ବିଜୟୀ ଦଳରେ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ କମ୍ୟୁନିକେସନ୍‌ ଇଞ୍ଜିନିୟରିଂ ବିଭାଗର ଆଦିତ୍ୟ ପ୍ରୀତମ, ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ ବିଭାଗର ସତ୍ୟଜିତ ପାତ୍ର ଏବଂ ମେକାନିକାଲ୍‌ ଇଞ୍ଜିନିୟରିଂ ବିଭାଗର ଅଶ୍ୱିନୀ ମଲ୍ଲିକ ଓ ସୌମ୍ୟ ମଣ୍ଡଳ ରହିଛନ୍ତି। ଚାରିଜଣ ଯାକ ଚତୁର୍ଥ ବର୍ଷର ଛାତ୍ର।

୧୧୭୯ରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା

ବୋଇଂ ପକ୍ଷରୁ ଆୟୋଜିତ ଏହି ଜାତୀୟ ପ୍ରତିଯୋଗିତାରେ ଦେଶର ୧୧୫ଟି ଶିକ୍ଷାନୁଷ୍ଠାନର ୧,୧୭୯ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଦେଶର ଚାରିଟି ଜୋନ୍‌ରେ ଯୋଗ୍ୟତା ପର୍ଯ୍ୟାୟ ଆୟୋଜିତ ହୋଇଥିଲା। ଭୁବନେଶ୍ୱରସ୍ଥିତ କିଟ୍‌ (KIIT)ରେ ଅନୁଷ୍ଠିତ ଜୋନାଲ୍‌ ପର୍ଯ୍ୟାୟରେ OUTR ଦଳ ତୃତୀୟ ସ୍ଥାନ ହାସଲ କରି ଜାତୀୟ ଅନ୍ତିମ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା।

ଅନ୍ତିମ ପର୍ଯ୍ୟାୟରେ ୧୪ଟି ଦଳର ୪୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରେ OUTRର ଏହି ଦଳ ନିଜର ବୈଷୟିକ ଦକ୍ଷତା ଓ ଦଳଗତ ସମନ୍ୱୟ ବଳରେ ପ୍ରଥମ ସ୍ଥାନ ହାସଲ କରିଥିଲା।

ବିମାନ ନିର୍ମାଣ ଓ ଉଡ଼ାଣ ଦକ୍ଷତାର ପରୀକ୍ଷା

ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ନିଜେ ବିମାନର ମଡେଲ୍‌ ତିଆରି କରିବା, ତାହାର ପରୀକ୍ଷଣ କରିବା ଏବଂ ଉଡ଼ାଣ କରାଇବା ଭଳି ବିଭିନ୍ନ ପର୍ଯ୍ୟାୟରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଚଳିତ ବର୍ଷର ଆହ୍ୱାନ ଥିଲା ମିଳିତ ମାନବିକ ସହାୟତା ବିମାନ ପରିବହନ ଅଭିଯାନ। ଏଥିରେ ବିମାନର ଡିଜାଇନ୍‌, ଉଡ଼ାଣ ସ୍ଥିରତା, ଭାର ପରିବହନ ବ୍ୟବସ୍ଥା ଏବଂ ଦଳଗତ ସମନ୍ୱୟକୁ ମୂଲ୍ୟାୟନ କରାଯାଇଥିଲା।

ପୁରସ୍କାର ବିତରଣୀ ସମାରୋହରେ ଏୟାର ମାର୍ଶାଲ୍‌ କେ.ଏ.ଏ. ସଞ୍ଜୀବ ଏବଂ ବୋଇଂ ଇଣ୍ଡିଆ ଓ ଦକ୍ଷିଣ ଏସିଆର ଅଧ୍ୟକ୍ଷ ସଲିଲ ଗୁପ୍ତେ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ। OUTR ଛାତ୍ରମାନଙ୍କ ଏହି ସଫଳତା ରାଜ୍ୟର ବୈଷୟିକ ଶିକ୍ଷା, ନବସୃଜନ ଓ ଏରୋସ୍ପେସ୍‌ ଗବେଷଣା କ୍ଷେତ୍ରରେ ନୂଆ ଉତ୍ସାହ ସୃଷ୍ଟି କରିଛି।