ସନା: ୟେମେନରେ ସାଉଦି ଆରବର ବାୟୁ ଆକ୍ରମଣରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ହୁତି ବିଦ୍ରୋହୀ ସଂଗଠନ ଅଭିଯୋଗ କରିଛି। ଦେଶର ଧାମାର୍ ପ୍ରଦେଶର ଏକ ଆବାସିକ ଅଞ୍ଚଳକୁ ଟାର୍ଗେଟ୍ କରି ଆକ୍ରମଣ କରାଯାଇଥିବା ବେଳେ ଏଥିରେ ଅନ୍ୟ ୧୭ ଜଣ ଆହତ ହୋଇଥିବା ହୁତି ପକ୍ଷରୁ କୁହାଯାଇଛି।
ହୁତିଙ୍କ ନିୟନ୍ତ୍ରଣରେ ଥିବା ସବା ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଶୁକ୍ରବାର ଏହି ଆକ୍ରମଣ ହୋଇଥିଲା। ତେବେ ଏହି ଘଟଣା ନେଇ ସାଉଦି ଆରବ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ। ତେଣୁ ଆକ୍ରମଣ ସମ୍ପର୍କିତ ଦାବିଗୁଡ଼ିକର ସ୍ୱାଧୀନ ଭାବେ ପୁଷ୍ଟି ହୋଇପାରିନାହିଁ।
ସାଉଦି ଆରବ ସମର୍ଥିତ ୟେମେନ ସରକାରୀ ବାହିନୀ ଓ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ତୀବ୍ର ହେବା ସହ ଉଭୟ ପକ୍ଷର ଆକ୍ରମଣ ବଢ଼ିଛି। ହୁତିମାନେ ସାଉଦି ଆରବର ବିମାନବନ୍ଦର, ତୈଳ ଭିତ୍ତିଭୂମି ଓ ଲୋହିତ ସାଗରରେ ଥିବା ଜାହାଜକୁ ଟାର୍ଗେଟ୍ କରିଥିବା ରିପୋର୍ଟ ରହିଛି।
ହୁତି ନିୟନ୍ତ୍ରିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦାବି ଅନୁଯାୟୀ, ସେପ୍ଟେମ୍ବର ୩ରୁ ଅକ୍ଟୋବର ୧୫ ମଧ୍ୟରେ ସାଉଦି ଆରବର ଆକ୍ରମଣରେ ୟେମେନରେ ୧୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୫ ଜଣ ଆହତ ହୋଇଛନ୍ତି। ଏହି ସଂଖ୍ୟାଗୁଡ଼ିକର ମଧ୍ୟ ସ୍ୱାଧୀନ ପୁଷ୍ଟି ମିଳିନାହିଁ।




