କଲିକତା: ଉତ୍ତର କଲିକତାର ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ୧୯ ଜଣଙ୍କ ଜୀବନ ନେଇଥିବା ଦଳାଚକଡ଼ା ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର କଲିକତାସ୍ଥିତ ଏକ ବେସରକାରୀ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ସେଠାରେ ଚିକିତ୍ସିତ ହେଉଥିବା ୧୪ ଜଣ ଆହତ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସେମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଗୃହମନ୍ତ୍ରୀ।
ଗୃହମନ୍ତ୍ରୀଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ଶମୀକ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ। ଶନିବାର ରାତିରେ କଲିକତାରେ ପହଞ୍ଚିଥିବା ଅମିତ ଶାହଙ୍କର ରବିବାର ପ୍ରସିଦ୍ଧ ବେଲୁଡ଼ ମଠ ପରିଦର୍ଶନ ସହ ଅନେକ ପୂଜା କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଏହି ଦୁଃଖଦ ଦୁର୍ଘଟଣା ଯୋଗୁଁ ସେ ନିଜର ସମସ୍ତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ରଦ୍ଦ କରିଥିଲେ। ସକାଳେ ଦକ୍ଷିଣ କଲିକତାର କାଳୀଘାଟ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସେ ସିଧାସଳଖ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଥିଲେ।
ହସ୍ପିଟାଲ ପରିଦର୍ଶନ ପରେ ଅମିତ ଶାହ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, “ଚୋରବାଗାନ ଦୁର୍ଗାପୂଜା ମଣ୍ଡପ ଦୁର୍ଘଟଣାରେ ଆହତ ହୋଇଥିବା ଶ୍ରଦ୍ଧାଳୁମାନଙ୍କୁ ମୁଁ ହସ୍ପିଟାଲରେ ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛି। ଏହି କଠିନ ସମୟରେ ପଶ୍ଚିମବଙ୍ଗ ସରକାର ପ୍ରତ୍ୟେକ ଆହତ ଏବଂ ପ୍ରଭାବିତ ପରିବାର ସହ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି। ମା’ ଦୁର୍ଗାଙ୍କ ନିକଟରେ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।”
ଅନ୍ୟପଟେ, ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ଶରଦ୍ୱତ ମୁଖାର୍ଜୀ ସୂଚନା ଦେଇଛନ୍ତି ଯେ, ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୪ ଜଣଙ୍କ ମଧ୍ୟରୁ ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଗୁରୁତର ଥିବା ଜଣକର ଅବସ୍ଥା ମଧ୍ୟ ନିୟନ୍ତ୍ରଣାଧୀନ ରହିଛି ଏବଂ ମୃତ୍ୟୁସଂଖ୍ୟା ଆଉ ବୃଦ୍ଧି ପାଇବ ନାହିଁ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେ ନିଜେ ସମସ୍ତ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି।




