ୱାଶିଂଟନ୍: ଇରାନ ସହ ଚାଲିଥିବା ସାମରିକ ସଂଘର୍ଷ ଖୁବ୍ଶୀଘ୍ର ଶେଷ ହେବ ଏବଂ ଯୁଦ୍ଧ ସମାପ୍ତ ହେବା କ୍ଷଣି ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରରେ ବଡ଼ ଧରଣର ହ୍ରାସ ଘଟିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି। ହ୍ୱାଇଟ୍ ହାଉସ୍ର ଓଭାଲ୍ ଅଫିସ୍ରେ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଗଣମାଧ୍ୟମକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ, ତେହେରାନକୁ ଆଗାମୀ ବର୍ଷଗୁଡ଼ିକରେ ପରମାଣୁ ଅସ୍ତ୍ର ନିର୍ମାଣରୁ ନିବୃତ୍ତ ରଖିବା ପାଇଁ ୱାଶିଂଟନ୍ କଠୋର ପଦକ୍ଷେପ ନେଉଛି।
ଟ୍ରମ୍ପ କହିଛନ୍ତି ଯେ, ଯୁଦ୍ଧ କାରଣରୁ ତେଲ ଦର ବୃଦ୍ଧି ପାଇବା ଏକ ବଡ଼ କ୍ଷତି ହୋଇପାରେ, କିନ୍ତୁ ଇରାନକୁ ପରମାଣୁ ଶକ୍ତିସମ୍ପନ୍ନ ହେବାକୁ ନଦେବା ପାଇଁ ଏହା ଏକ ସାମାନ୍ୟ ମୂଲ୍ୟ।
ଟ୍ରମ୍ପ ଦାବି କରିଛନ୍ତି ଯେ, ଆମେରିକାର ସାମରିକ ଆକ୍ରମଣ ଇରାନର ଭୂଗର୍ଭସ୍ଥ ପରମାଣୁ ପ୍ରକଳ୍ପଗୁଡ଼ିକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ଆମେରିକା ଚାହିଁଲେ ଏବେ ବି ସେଠାରୁ ଆପଣାଛାଏଁ ଆସିପାରିବ, କିନ୍ତୁ ଆଗାମୀ ୫, ୬ କିମ୍ବା ୧୦ ବର୍ଷ ପର୍ଯ୍ୟନ୍ତ ଇରାନ ଯେପରି ପୁଣି ନିଜର ପରମାଣୁ କ୍ଷମତା ସୁଧାରି ନପାରିବ, ସେଥିପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଉଛି।
ଇରାନକୁ ବିଶ୍ୱର ସବୁଠାରୁ ବଡ଼ ସନ୍ତ୍ରାସବାଦୀ ପୃଷ୍ଠପୋଷକ ରାଷ୍ଟ୍ର ଭାବେ ଅଭିହିତ କରି ଟ୍ରମ୍ପ କହିଛନ୍ତି ଯେ, ବିଶ୍ୱ ଶାନ୍ତି ପାଇଁ ଇରାନକୁ ପରମାଣୁ ଅସ୍ତ୍ରରୁ ଦୂରରେ ରଖିବା ଅତ୍ୟନ୍ତ ଜରୁରୀ।
ଏହି ସଂଘର୍ଷ ସମୟରେ ନାଟୋ ସହଯୋଗୀ ୟୁରୋପୀୟ ଦେଶଗୁଡ଼ିକ ଆମେରିକାକୁ ସହାୟତା କରିବାକୁ ମନା କରିଦେଇଥିବାରୁ ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ନାଟୋ ପାଇଁ ଆମେରିକା ବାର୍ଷିକ ଶହ ଶହ ବିଲିୟନ୍ ଡଲାର ଖର୍ଚ୍ଚ କରୁଥିବା ବେଳେ ୟୁରୋପୀୟ ନେତାମାନେ ସାହାଯ୍ୟର ହାତ ବଢ଼ାଇନାହାନ୍ତି।
ପାରସ୍ୟ ଉପସାଗର ଓ ହୋରମୁଜ୍ ପ୍ରଣାଳୀ (Strait of Hormuz) ଦେଇ ତୈଳ ପରିବହନ ବାଧାପ୍ରାପ୍ତ ହେଉଥିବାରୁ ଭାରତ ଭଳି ପ୍ରମୁଖ ତୈଳ ଆମଦାନୀକାରୀ ଦେଶଗୁଡ଼ିକ ଉପରେ ଏହାର ପ୍ରଭାବ ପଡ଼ୁଛି। ତେବେ ଯୁଦ୍ଧ ଶେଷ ହେଲେ ବିଶ୍ୱ ଅର୍ଥନୀତି ଓ ଇନ୍ଧନ ବଜାର ଶୀଘ୍ର ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।




