ପୁରୀ: ଆଜି ପବିତ୍ର ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମ ଏବଂ ଅନ୍ଧକାର ଉପରେ ଆଲୋକର ବିଜୟକୁ ନେଇ ସମଗ୍ର ରାଜ୍ୟସାରା ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହେଉଛି ଏହି ମହାପର୍ବ। ପୌରାଣିକ ମାନ୍ୟତା ଅନୁଯାୟୀ, ଆଜିର ଦିନରେ ମହାମାୟୀ ମା’ ଦୁର୍ଗା ମହିଷାସୁରକୁ ବଧ କରି ଧରାଧାମକୁ ପାପଭାରରୁ ମୁକ୍ତି କରିଥିଲେ। ସେହିପରି ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ମା’ ଦୁର୍ଗାଙ୍କ ଆଶୀର୍ବାଦ ନେଇ ଅହଂକାରୀ ଦଶାନନ ରାବଣକୁ ବଧ କରି ବିଜୟ ଉତ୍ସବ ପାଳନ କରିଥିଲେ।
ପୂଜା ମଣ୍ଡପଗୁଡ଼ିକରେ ପ୍ରାତଃ ସମୟରୁ ମନ୍ତ୍ରପାଠ, ଶଙ୍ଖନାଦ, ଘଣ୍ଟ ଏବଂ ଧୂପ-ଦୀପର ସୁବାସରେ ସମଗ୍ର ଗଗନପବନ ମୁଖରିତ ହୋଇଉଠିଛି। ସୋମବାର ପ୍ରସିଦ୍ଧ ଶକ୍ତିପୀଠଗୁଡ଼ିକରେ ମା’ଙ୍କ ଦଶମୀ ପୂଜା ଶେଷ ହୋଇଥିବା ବେଳେ ଆଜି ବିଭିନ୍ନ ପୂଜା ମଣ୍ଡପଗୁଡ଼ିକରେ ଦଶମୀ ପୂଜାର ସ୍ୱତନ୍ତ୍ର ରୀତିନୀତି ସମ୍ପନ୍ନ ହେଉଛି।
ବିଜୟାଦଶମୀର ଏହି ପବିତ୍ର ଅବସରରେ ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ରତ୍ନସିଂହାସନରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଭକ୍ତଙ୍କୁ ଆକର୍ଷଣୀୟ ‘ସୁନାବେଶ’ ବା ‘ରାଜରାଜେଶ୍ୱର ବେଶ’ରେ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ଏହି ଦିବ୍ୟ ଓ ଆଲୌକିକ ବେଶ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି।
ବିଜୟାଦଶମୀ ପାଳନ ପାଇଁ ରାଜ୍ୟର କୋଣଅନୁକୋଣରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁ ଥିବା ‘ରାବଣ ପୋଡ଼ି’ ଉତ୍ସବ ପାଇଁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି।




