ଭୁବନେଶ୍ୱର: ରାଜ୍ୟରେ ରସାୟନ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅକ୍ଟୋବର ୨୨ରୁ ମୁମ୍ବାଇଠାରେ ଆୟୋଜିତ ହେଉଥିବା ‘ଇଣ୍ଡିଆ କେମ୍ ୨୦୨୬’ ସମ୍ମିଳନୀରେ ଯୋଗଦେବେ। ନିଜର ଦୁଇଦିନିଆ ମୁମ୍ବାଇ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ୨୦ରୁ ଅଧିକ ପ୍ରମୁଖ କମ୍ପାନୀର ପ୍ରତିନିଧିଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିବେ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି।

କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉଦ୍‌ଘାଟନୀ ସମାରୋହ ଏବଂ ‘ସିଇଓ ରାଉଣ୍ଡଟେବୁଲ୍’ ବୈଠକରେ ମୁଖ୍ୟମନ୍ତ୍ରୀ ମାଝୀ ଅଂଶଗ୍ରହଣ କରିବେ। ଓଡ଼ିଶାର ଶିଳ୍ପ ଭିତ୍ତିଭୂମି, ପ୍ରଗତିଶୀଳ ନୀତି ଏବଂ ପ୍ରାକୃତିକ ସମ୍ପଦର ସୁବିଧାକୁ ବିଶ୍ୱ ଶିଳ୍ପ ଜଗତ ସମ୍ମୁଖରେ ଉପସ୍ଥାପନ କରି ରାଜ୍ୟକୁ ରସାୟନ ଓ ପେଟ୍ରୋକେମିକାଲ୍ ନିର୍ମାଣର ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।

ଏହି ଶିଳ୍ପ ମହାକୁମ୍ଭରେ ଓଡ଼ିଶାର ମୁଖ୍ୟ ଆକର୍ଷଣ ହେବ କୋଲ୍ ଗ୍ୟାସିଫିକେସନ୍ ପ୍ରକଳ୍ପ ଉପରେ ସ୍ୱତନ୍ତ୍ର ଉପସ୍ଥାପନା। ଏହାବ୍ୟତୀତ ରାଜ୍ୟରେ କେମିକାଲ, ପେଟ୍ରୋକେମିକାଲ, ପ୍ଲାଷ୍ଟିକ୍ସ ଏବଂ ପ୍ୟାକେଜିଂ ଶିଳ୍ପ ପାଇଁ ଏକ ବୃହତ୍ ସ୍ୱତନ୍ତ୍ର ‘କେମିକାଲ୍ ଇଣ୍ଡଷ୍ଟ୍ରିଆଲ୍ ପାର୍କ’ ପ୍ରତିଷ୍ଠା ନେଇ ବଡ଼ ଘୋଷଣା କରାଯିବାର ସମ୍ଭାବନା ରହିଛି।

ରାଜ୍ୟ ଶିଳ୍ପ, ସ୍ୱରାଷ୍ଟ୍ର ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ନିକଟରେ ଯାଜପୁରଠାରେ ୪,୧୩୬ କୋଟି ଟଙ୍କାର ୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍‌ଘାଟନ ସମ୍ପନ୍ନ ହୋଇଛି। ‘ଇଣ୍ଡିଆ କେମ୍ ୨୦୨୬’ରେ ଭାଗନେବା ଦ୍ୱାରା ବୃହତ୍ ନିବେଶକଙ୍କ ସହ ସିଧାସଳଖ ଯୋଡ଼ିହେବା ଏବଂ ଆଗାମୀ ଦିନରେ ନୂତନ ସହଯୋଗିତା ସ୍ଥାପନ ପାଇଁ ପଥ ପରିଷ୍କାର ହେବ।

ସିଏମ୍‌ଓ ବିବୃତ୍ତି ଅନୁଯାୟୀ, ଓଡ଼ିଶା ଏପର୍ଯ୍ୟନ୍ତ ରସାୟନ ଓ ପେଟ୍ରୋକେମିକାଲ୍‌ କ୍ଷେତ୍ରରେ ୫୬ଟି କମ୍ପାନୀକୁ ଆକୃଷ୍ଟ କରିବାରେ ସଫଳ ହୋଇଛି। ଏହି କମ୍ପାନୀଗୁଡ଼ିକ ମୋଟ ୧,୯୩,୦୮୭.୯୪ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଦେଇଥିବା ବେଳେ ଏହାଦ୍ୱାରା ୧,୧୨,୩୨୪ ଜଣଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବାର ଆକଳନ କରାଯାଇଛି।

ଏଥିମଧ୍ୟରୁ ୬୦,୮୨୫.୩୪ କୋଟି ଟଙ୍କାର ୨୭ଟି ପ୍ରକଳ୍ପ ପ୍ରାରମ୍ଭିକ ସ୍ତରରେ ପହଞ୍ଚିସାରିଛି କିମ୍ବା କାର୍ଯ୍ୟକ୍ଷମ ହୋଇଛି, ଯାହା ମାଧ୍ୟମରେ ୩୫,୩୫୧ ଜଣ ନିଯୁକ୍ତି ପାଇଛନ୍ତି। ଏହି ସମ୍ମିଳନୀରେ ଓଡ଼ିଶା ସହ ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ ତାମିଲନାଡୁ ଭଳି ରାଜ୍ୟଗୁଡ଼ିକ ଅଂଶଗ୍ରହଣ କରୁଛନ୍ତି।