ବ୍ୟାଙ୍କକ୍: ଭାରତ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ଭାଗୀଦାରୀକୁ ଆହୁରି ସୁଦୃଢ଼ କରିବା ପାଇଁ ଦୁଇ ଦେଶର ବାୟୁସେନା ମଧ୍ୟରେ ସହଯୋଗ ବୃଦ୍ଧି ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଦିନ ଥାଇଲ୍ୟାଣ୍ଡରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ପୁନୀତ ଅଗ୍ରୱାଲ ଏବଂ ରୋୟାଲ ଥାଇ ଏୟାରଫୋର୍ସର ଏୟାର ଚିଫ୍ ମାର୍ଶାଲ ସାକେସାନ୍ କାନ୍ଥାଙ୍କ ମଧ୍ୟରେ ଏହି ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା।
ଦ୍ୱିପାକ୍ଷିକ ସାମରିକ ଅଭ୍ୟାସ, ମିଳିତ ଅଭିଯାନ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟ ବାୟୁସେନା ଏବଂ ରୋୟାଲ ଥାଇ ବାୟୁସେନା ମଧ୍ୟରେ ସମ୍ପର୍କକୁ ଅଧିକ ବ୍ୟାପକ କରିବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଥାଇଲ୍ୟାଣ୍ଡସ୍ଥିତ ଭାରତୀୟ ଦୂତାବାସ ‘ଏକ୍ସ’ (X) ରେ ପୋଷ୍ଟ କରି କହିଛି ଯେ, “ଅକ୍ଟୋବର ୨୦, ୨୦୨୬ରେ ରାଷ୍ଟ୍ରଦୂତ ପୁନୀତ ଅଗ୍ରୱାଲ ରୋୟାଲ ଥାଇ ବାୟୁସେନାର କମାଣ୍ଡର-ଇନ୍-ଚିଫ୍ ଏୟାର ଚିଫ୍ ମାର୍ଶାଲ ସାକେସାନ୍ କାନ୍ଥାଙ୍କୁ ଭେଟିଥିଲେ। ଭାରତ ଓ ଥାଇଲ୍ୟାଣ୍ଡ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ଅଧିକ ମଜବୁତ କରିବା ସହ ଦ୍ୱିପାକ୍ଷିକ ଅଭ୍ୟାସ ଓ ପ୍ରଶିକ୍ଷଣ ନେଇ ସାରଗର୍ଭକ ଆଲୋଚନା ହୋଇଥିଲା।”
ବାୟୁସେନା ପୂର୍ବରୁ ଗତ ସେପ୍ଟେମ୍ବର ୩ ତାରିଖରେ ନୂଆଦିଲ୍ଲୀଠାରେ ଭାରତୀୟ ନୌସେନା ଏବଂ ରୋୟାଲ ଥାଇ ନୌସେନା ମଧ୍ୟରେ ୧୪ଶ ‘ଷ୍ଟାଫ୍ ଟକ୍ସ’ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଞ୍ଚଳିକ ସୁରକ୍ଷା, ପ୍ରଶିକ୍ଷଣ ଏବଂ କ୍ଷମତା ବୃଦ୍ଧି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ସେହିପରି ଚଳିତ ବର୍ଷ ଜୁଲାଇ ମାସରେ ଭାରତୀୟ ନୌସେନାର ପୂର୍ବ ନୌବାହିନୀର ଆଇଏନ୍ଏସ୍ ଉଦୟଗିରି, ଆଇଏନ୍ଏସ୍ ଶକ୍ତି ଏବଂ ଆଇଏନ୍ଏସ୍ କଭରତ୍ତୀ ଥାଇଲ୍ୟାଣ୍ଡର ସତ୍ତାହିପ୍ ପରିଦର୍ଶନ କରିବା ପରେ ରୋୟାଲ ଥାଇ ନୌସେନାର ‘ଏଚ୍ଟିଏମ୍ଏସ୍ ଚାଓ ପ୍ରାୟା’ ସହ ମିଳିତ ‘ପାସେକ୍ସ’ (PASSEX) ସାମରିକ ଅଭ୍ୟାସରେ ଭାଗ ନେଇଥିଲେ।
ଏହି ନିରନ୍ତର ସାମରିକ ଆଲୋଚନା ଓ ଅଭ୍ୟାସ ଭାରତମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ସୁରକ୍ଷା, ସ୍ଥିରତା ଏବଂ ଦୁଇ ଦେଶ ମଧ୍ୟରେ ରହିଥିବା ରଣନୈତିକ ସମ୍ପର୍କକୁ ଆହୁରି ମଜବୁତ କରୁଛି।




