ନୂଆଦିଲ୍ଲୀ: ମଣିପୁରରେ ପୁଣି ଥରେ ଦେଖାଦେଇଥିବା ହିଂସାକାଣ୍ଡକୁ ନେଇ କେନ୍ଦ୍ରର ବିଜେପି ସରକାର ଉପରେ କଡ଼ା ପ୍ରହାର କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ। ବିଜେପିର ଅଦୂରଦର୍ଶିତା ଓ ଅଯୋଗ୍ୟତା ଯୋଗୁଁ ମଣିପୁର ଆଜି ପୁଣି ଥରେ ଜଳୁଛି ବୋଲି ଅଭିଯୋଗ କରିବା ସହ ରାଜ୍ୟର ଜନସାଧାରଣ ନ୍ୟାୟ, ସମ୍ମାନ, ସାମ୍ବିଧାନିକ ଅଧିକାର ଏବଂ ସ୍ଥାୟୀ ଶାନ୍ତି ପାଇବାର ହକ୍‌ଦାର ବୋଲି ସେ କହିଛନ୍ତି।

ସୋସିଆଲ ମିଡିଆ ‘ଏକ୍ସ’ (X) ରେ ପୋଷ୍ଟ କରି ଖାର୍ଗେ କହିଛନ୍ତି ଯେ, ସମ୍ପ୍ରତି ଘଟିଥିବା ହିଂସାକାଣ୍ଡରେ ୪ ଜଣ ନିରୀହ ନାଗରିକଙ୍କ ନିର୍ମମ ହତ୍ୟା ଅତ୍ୟନ୍ତ ନିନ୍ଦନୀୟ। ମେ ୨୦୨୩ ରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ୩୦୦ ରୁ ଅଧିକ ଅମୂଲ୍ୟ ଜୀବନ ଗଲାଣି ଏବଂ ୨୪,୫୩୦ ରୁ ଅଧିକ ଲୋକ ରିଲିଫ୍ କ୍ୟାମ୍ପରେ ଅମାନବୀୟ ପରିସ୍ଥିତିରେ ରହିବାକୁ ବାଧ୍ୟ ହୋଇଛନ୍ତି।

ମଣିପୁର ସ୍ଥିତିକୁ ନେଇ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି: ୧. ଜୁନ୍ ୨୦୨୩ରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ଗଠିତ ଶାନ୍ତି କମିଟିର ଫଳାଫଳ କ’ଣ ହେଲା?

୨. ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଷ୍ଟିସ୍ ଗୀତା ମିତ୍ତଲ କମିଟିର ସୁପାରିଶ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି?

୩. ରାଷ୍ଟ୍ରପତି ଶାସନ ଏବଂ ମୁଖ୍ୟମନ୍ତ୍ରୀ ବଦଳିବା ପରେ ମଧ୍ୟ ହିଂସା ନରୋକିବା ପାଇଁ ଏହି ପ୍ରଶାସନିକ ବିଫଳତାର ଦାୟିତ୍ୱ କିଏ ନେବ?

ସୀମାନ୍ତ ରାଜ୍ୟର ସୁରକ୍ଷା ଓ ସ୍ଥିରତାକୁ ବିଜେପି ନିଜର ରାଜନୈତିକ ସ୍ୱାର୍ଥ ପାଇଁ ବଳି ପକାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ, କାଙ୍ଗପୋକପି ଜିଲ୍ଲାର ଖୋଙ୍ଗବଲ ତାଙ୍ଗଖୁଲଠାରେ କାଠ ସଂଗ୍ରହ କରିବାକୁ ଯାଇଥିବା ଗ୍ରାମବାସୀଙ୍କ ଉପରକୁ ସଶସ୍ତ୍ର ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ। ଏଥିରେ ମେଇତେଇ ସମୁଦାୟର ୩ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ସେହିପରି ଥୌବାଲ ଜିଲ୍ଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଛି।

ଘଟଣା ପରେ ମଣିପୁର ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ମିଳିତ ଚଢ଼ାଉ କରି ୩ ଜଣ ସନ୍ଦିଗ୍ଧ ଉଗ୍ରପନ୍ଥୀଙ୍କୁ ଗିରଫ କରିଛନ୍ତି। ଆଇନ ଶୃଙ୍ଖଳା ବିଭାଗର ଏଡିଜି ଲହରୀ ଦୋର୍ଜେଙ୍କ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧୨ଟି ରାଇଫଲ୍ (ଇନସାସ୍, ଏମ-୧୬, ଏକେ-୪୭, ସ୍ନାଇପର) ଏବଂ ୧,୦୯୫ ରାଉଣ୍ଡ ଜୀବନ୍ତ କାର୍ତ୍ତୁଜ ଜବତ କରାଯାଇଛି।