ନୂଆଦିଲ୍ଲୀ: କକ୍‌ରୋଚ୍‌ ଜନତା ପାର୍ଟି (CJP)ର ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ମିଳିଛି ଆଶ୍ୱସ୍ତି। ଦିଲ୍ଲୀର ଜନ୍ତରମନ୍ତରରେ ଅନୁମତି ନଥିବା ସ୍ଥାନରେ ପ୍ରବେଶ କରି ତ୍ରିରଙ୍ଗା ଉଡ଼ାଇବା ଘଟଣାରେ ଗିରଫ ହୋଇଥିବା ଏହି ଦୁଇ ନେତାଙ୍କୁ ଅଦାଲତ ଜାମିନ ଦେଇଛନ୍ତି। ପ୍ରାୟ ସାତ ଦିନ ଧରି ନ୍ୟାୟିକ ହେପାଜତରେ ରହିବା ପରେ ସେମାନଙ୍କ ମୁକ୍ତି ପାଇଁ ବାଟ ଖୋଲିଛି।

ଏହି ଘଟଣାରେ CJPର ପ୍ରତିଷ୍ଠାତା ଅଭିଜିତ ଦିପ୍‌କେଙ୍କ ପ୍ରତିକ୍ରିୟା ମଧ୍ୟ ଚର୍ଚ୍ଚାରେ ରହିଛି। ଦାସ ଓ ରାଙ୍କାଙ୍କୁ ଜେଲ୍‌ରୁ ମୁକ୍ତ କରିବା ପାଇଁ ଅଦାଲତଙ୍କ ନିଷ୍ପତ୍ତି ପରେ ଦଳର ସମର୍ଥକଙ୍କ ମଧ୍ୟରେ ଆଶ୍ୱସ୍ତି ଦେଖାଦେଇଛି।

ଅକ୍ଟୋବର ୧୩ରେ ଦିଲ୍ଲୀ ପୁଲିସ ଦାସ ଓ ରାଙ୍କାଙ୍କୁ ହେପାଜତକୁ ନେଇଥିଲା। ଏହାର ପରଦିନ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ପ୍ରଥମେ ପାଞ୍ଚ ଦିନର ହେପାଜତ ଅବଧି ପରେ ଆଉ ଦୁଇ ଦିନ ବଢ଼ାଯାଇଥିଲା। ପରବର୍ତ୍ତୀ ସମୟରେ ପୁଲିସ ପକ୍ଷରୁ ହେପାଜତ ଅବଧି ଆହୁରି ବଢ଼ାଇବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ ଅଦାଲତ ତାହାକୁ ଗ୍ରହଣ କରିନଥିଲେ।

ଏହି ଘଟଣାକୁ ନେଇ CJP ନେତାମାନେ ଦିଲ୍ଲୀ ପୁଲିସ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଆସୁଥିଲେ। ଦିପ୍‌କେ ମଧ୍ୟ ତାଙ୍କ ସହଯୋଗୀଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଦାସ ଓ ରାଙ୍କାଙ୍କ ମୁକ୍ତି ଦଳର ଆଗାମୀ ଆନ୍ଦୋଳନ ଉପରେ କି ପ୍ରଭାବ ପକାଇବ, ତାହା ଉପରେ ଏବେ ନଜର ରହିଛି।