ୱାଶିଂଟନ୍‌: ୟୁକ୍ରେନ୍‌ର ସାମରିକ ଡ୍ରୋନ୍‌ ଅଭିଯାନରେ ବ୍ୟବହୃତ ଷ୍ଟାର୍‌ଲିଙ୍କ୍‌ ଉପଗ୍ରହ ଯୋଗାଯୋଗ ସେବା ଉପରେ କଟକଣା ଲଗାଯାଇଛି। ସ୍ପେସ୍‌ଏକ୍ସର ମୁଖ୍ୟ ଏଲନ୍‌ ମସ୍କ ଏହି ନିଷ୍ପତ୍ତି ନେଇଥିବା ନେଇ ଆମେରିକୀୟ ଗଣମାଧ୍ୟମ ‘ଦ ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି। ଅକ୍ଟୋବର ୧୪ରୁ ଲାଗୁ ହୋଇଥିବା ଏହି କଟକଣା ୟୁକ୍ରେନ୍‌ର ଡ୍ରୋନ୍‌ ଯୋଗାଯୋଗ ଓ ସାମରିକ ଅଭିଯାନକୁ ପ୍ରଭାବିତ କରିଥିବା କୁହାଯାଉଛି।

ୟୁକ୍ରେନ୍‌ ଯୁଦ୍ଧକ୍ଷେତ୍ରରେ ସୈନ୍ୟଙ୍କ ମଧ୍ୟରେ ଯୋଗାଯୋଗ ରକ୍ଷା କରିବା, ଡ୍ରୋନ୍‌ ପରିଚାଳନା କରିବା ଏବଂ ରୁଷୀୟ ଡ୍ରୋନ୍‌କୁ ଅଟକାଇବା ପାଇଁ ଷ୍ଟାର୍‌ଲିଙ୍କ୍‌ ସେବା ଉପରେ ନିର୍ଭର କରାଯାଉଛି। ଏହି ସେବାରେ କଟକଣା ଲାଗୁ ହେବା ପରେ ଅଧିକ ବେଗରେ ଉଡ଼ୁଥିବା କେତେକ ଡ୍ରୋନ୍‌ର ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା। ଏହା ଫଳରେ କେତେକ ଡ୍ରୋନ୍‌ ନଷ୍ଟ ହେବା ସହ ସାମରିକ ଅଭିଯାନ ବିଫଳ ହୋଇଥିବା ୟୁକ୍ରେନ୍‌ର ଅଧିକାରୀଙ୍କ ଉଦ୍ଧୃତି ଦେଇ ରିପୋର୍ଟରେ କୁହାଯାଇଛି।

ଷ୍ଟାର୍‌ଲିଙ୍କ୍‌ ହେଉଛି ସ୍ପେସ୍‌ଏକ୍ସର ଉପଗ୍ରହଭିତ୍ତିକ ଇଣ୍ଟରନେଟ୍‌ ସେବା। ଏହାର ସାମରିକ ସଂସ୍କରଣ ‘ଷ୍ଟାର୍‌ସିଲ୍‌ଡ୍‌’ ୟୁକ୍ରେନ୍‌ର ସାମରିକ ଯୋଗାଯୋଗ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି।

ରିପୋର୍ଟ ଅନୁସାରେ, ଷ୍ଟାର୍‌ଲିଙ୍କ୍‌ ସେବାରେ କଟକଣା ଲାଗୁ ହେବା ପୂର୍ବରୁ ଓ ପରେ ମସ୍କ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ଫୋନ୍‌ରେ ଆଲୋଚନା ହୋଇଥିଲା। କେତେକ ଆମେରିକୀୟ ଅଧିକାରୀଙ୍କ ମତରେ, ଏହି ନିଷ୍ପତ୍ତି ମସ୍କ ନିଜେ ନେଇଥିଲେ। ତେବେ ଟ୍ରମ୍ପ୍‌ ଏହି କଟକଣା ପାଇଁ ନିଜକୁ ଦାୟୀ କରିନାହାନ୍ତି।

ଅନ୍ୟପକ୍ଷରେ, ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍‌ ହେଗ୍‌ସେଥ୍‌ କହିଛନ୍ତି ଯେ ୟୁକ୍ରେନ୍‌ର ଷ୍ଟାର୍‌ଲିଙ୍କ୍‌ ସେବା ବ୍ୟବହାର କରିବାର ସୁଯୋଗ ଆମେରିକା ପ୍ରତ୍ୟାହାର କରିନାହିଁ। ତେବେ ସେବାର ସର୍ତ୍ତାବଳୀ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ମଧ୍ୟ ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଆଲୋଚନା ବେଳେ ଷ୍ଟାର୍‌ଲିଙ୍କ୍‌ ଓ ଷ୍ଟାର୍‌ସିଲ୍‌ଡ୍‌ ସେବା ପୁନଃସ୍ଥାପନ ପ୍ରସଙ୍ଗ ଉଠାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଏହି ଘଟଣା ଆମେରିକା ଓ ୟୁକ୍ରେନ୍‌ ମଧ୍ୟରେ ସାମରିକ ସହଯୋଗ ଏବଂ ଯୋଗାଯୋଗ ସେବାକୁ ନେଇ ଚାଲିଥିବା ଆଲୋଚନାକୁ ନୂଆ ମୋଡ଼ ଦେଇଛି।