ଭୁବନେଶ୍ୱର: ରାଜ୍ୟରେ ଏଣିକି ଏଣେତେଣେ ଆବର୍ଜନା ପକାଇବା ଏବଂ ବର୍ଜ୍ୟବସ୍ତୁର ଅବିଚାରିତ ନିଷ୍କାସନ କରିବା ମହଙ୍ଗା ପଡ଼ିପାରେ। କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୨୬କୁ କଡ଼ାକଡ଼ି ଲାଗୁ କରିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ବୁଧବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏନେଇ ରାଜ୍ୟସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ବର୍ଜ୍ୟବସ୍ତୁ ସଂଗ୍ରହ, ଉତ୍ସସ୍ଥଳରୁ ପୃଥକୀକରଣ, ବୈଜ୍ଞାନିକ ପ୍ରକ୍ରିୟାକରଣ ଓ ସୁରକ୍ଷିତ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ଜିଲ୍ଲାପାଳଙ୍କ ତଦାରଖରେ ହେବ ନିୟମ ପାଳନ
ବର୍ଜ୍ୟବସ୍ତୁ ପରିଚାଳନା ନିୟମର ଅନୁପାଳନ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ନିଜ ନିଜ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ମଜବୁତ କରିବାକୁ କୁହାଯାଇଛି। ନିୟମ ଉଲ୍ଲଂଘନ କରୁଥିବା ବର୍ଜ୍ୟ ଉତ୍ପାଦନକାରୀଙ୍କୁ ଚିହ୍ନଟ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖିବା ଉପରେ ଜୋର୍ ଦିଆଯାଇଛି।
ବିଶେଷକରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ରାସ୍ତାକଡ଼, ସହରତଳି ଅଞ୍ଚଳ ଓ ଅନ୍ୟାନ୍ୟ ସ୍ଥାନରେ ଅବିଚାରିତ ଭାବେ ଆବର୍ଜନା ଜମା ହେବା ନେଇ ଉଦ୍ବେଗ ପ୍ରକାଶ ପାଇଛି। ସଚେତନତା ସତ୍ତ୍ୱେ ନିୟମ ଉଲ୍ଲଂଘନ ଜାରି ରହୁଥିବାରୁ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନକୁ ଅଧିକ ପ୍ରଭାବଶାଳୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଡିଜିଟାଲ୍ ନଜରଦାରି ଓ ଆବର୍ଜନା ପୃଥକୀକରଣ
ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡ. ମନୋଜ ଭି. ନାୟାର ବୈଠକରେ ବର୍ଜ୍ୟବସ୍ତୁ ପରିଚାଳନାର ବିଭିନ୍ନ ଦିଗ ଉପସ୍ଥାପନ କରିଥିଲେ। ଏଥିରେ ଉତ୍ସସ୍ଥଳରୁ ଆବର୍ଜନା ପୃଥକୀକରଣ, ବୈଜ୍ଞାନିକ ପ୍ରକ୍ରିୟାକରଣ, ଡିଜିଟାଲ୍ ନଜରଦାରି ଏବଂ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ଉପରେ ଜୋର୍ ଦିଆଯାଇଥିଲା।
ଏହାସହ ସହରାଞ୍ଚଳରେ ସଂଗୃହୀତ ଆବର୍ଜନାର ଉପଯୁକ୍ତ ପ୍ରକ୍ରିୟାକରଣ ଓ ଅବଶିଷ୍ଟ ବର୍ଜ୍ୟର ସୁରକ୍ଷିତ ନିଷ୍କାସନ ନିଶ୍ଚିତ କରିବାକୁ କୁହାଯାଇଛି।
ସ୍ୱଚ୍ଛତା ସଚେତନତା ପାଠ୍ୟକ୍ରମରେ ସାମିଲ ହେବ
ପରିବେଶ ସୁରକ୍ଷା ଓ ସ୍ୱଚ୍ଛତାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ବଢ଼ାଇବା ପାଇଁ ବିଦ୍ୟାଳୟ ପାଠ୍ୟକ୍ରମରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ସାମିଲ କରିବା ଦିଗରେ ମଧ୍ୟ ଆଲୋଚନା ହୋଇଛି।
ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟରେ ସମନ୍ୱୟ ରଖି ନିୟମିତ ସମୀକ୍ଷା କରିବା ଉପରେ ବୈଠକରେ ମତ ପ୍ରକାଶ ପାଇଛି।
ରାଜ୍ୟରେ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ଓ ସ୍ୱଚ୍ଛ ପରିବେଶ ସୁନିଶ୍ଚିତ କରିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ।




