ଗାନ୍ଧୀନଗର: ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସୁରକ୍ଷା, ଗୋପନୀୟତା ଓ ସମ୍ମାନ ରକ୍ଷା ପାଇଁ ଗୁଜରାଟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ କଟକଣା ଜାରି କରିଛନ୍ତି। ନୂତନ ନିୟମାନୁସାରେ, ବାହାର ବ୍ୟକ୍ତି ବିଦ୍ୟାଳୟ ପରିସରରେ ପ୍ରବେଶ କରିବା ପାଇଁ ପ୍ରଧାନଶିକ୍ଷକଙ୍କ ଲିଖିତ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି। ଏହାସହ ଅନୁମତି ବିନା ଛାତ୍ରଛାତ୍ରୀ, ଶିକ୍ଷକ କିମ୍ବା ବିଦ୍ୟାଳୟର କାର୍ଯ୍ୟକଳାପର ଫଟୋଗ୍ରାଫି, ଭିଡିଓଗ୍ରାଫି, ସାକ୍ଷାତକାର ଏବଂ ଲାଇଭ୍ ଷ୍ଟ୍ରିମିଂ ଉପରେ କଟକଣା ଲଗାଯାଇଛି।
ଗୁଜରାଟ ଶିକ୍ଷା ବିଭାଗ ବୁଧବାର ଏକ ସର୍କୁଲାର ଜାରି କରି ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ୯ଟି ପ୍ରମୁଖ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିଜର ସରକାରୀ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସରକାରୀ ଅଧିକାରୀମାନଙ୍କୁ ଏହି ଲିଖିତ ଅନୁମତି ପ୍ରକ୍ରିୟାରୁ ଛାଡ଼ ଦିଆଯାଇଛି।
ବିଜିଟର ରେଜିଷ୍ଟର ଓ ଶ୍ରେଣୀଗୃହ ପ୍ରବେଶ ନିୟମ
ନୂଆ ନିୟମ ଅନୁଯାୟୀ:
- ବିଦ୍ୟାଳୟରେ ପ୍ରବେଶ କରୁଥିବା ସମସ୍ତ ବାହାର ବ୍ୟକ୍ତିଙ୍କୁ ‘ବିଜିଟର ରେଜିଷ୍ଟର’ରେ ନିଜର ସମ୍ପୂର୍ଣ୍ଣ ବିବରଣୀ ଲେଖିବାକୁ ପଡ଼ିବ।
- ଶ୍ରେଣୀଗୃହ, ପ୍ରୟୋଗଶାଳା, ଲାଇବ୍ରେରୀ, ହଷ୍ଟେଲ, ଖେଳପଡ଼ିଆ ଓ ଶୌଚାଳୟ ଭଳି ସ୍ଥାନକୁ କେବଳ ପ୍ରଧାନଶିକ୍ଷକଙ୍କ ଅନୁମତି ଏବଂ ସେମାନଙ୍କ ଦ୍ୱାରା ନିୟୋଜିତ କୌଣସି ଶିକ୍ଷକ କିମ୍ବା ଅଧିକାରୀଙ୍କ ଉପସ୍ଥିତିରେ ହିଁ ପ୍ରବେଶ ମିଳିବ।
- କୌଣସି ବି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ, ଫଟୋ କିମ୍ବା ଭିଡିଓକୁ ସେମାନଙ୍କ ସୁରକ୍ଷା ଓ ଗୋପନୀୟତାକୁ ଜଳାଞ୍ଜଳି ଦେଇ ପ୍ରକାଶ କିମ୍ବା ପ୍ରସାରିତ କରାଯାଇପାରିବ ନାହିଁ।
ନିୟମ ଭଙ୍ଗ କଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ
ସମ୍ବିଧାନର ଧାରା ୨୧ (ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତା) ଏବଂ ସୁପ୍ରିମକୋର୍ଟଙ୍କ କେ.ଏସ୍. ପୁଟ୍ଟାସ୍ୱାମୀ ମାମଲାରେ ଗୋପନୀୟତା ଅଧିକାର ନିର୍ଦ୍ଦେଶକୁ ଆଧାର କରି ଏହି ନିୟମାବଳୀ ପ୍ରସ୍ତୁତ କରାଯାଇଛି।
ଯଦି କୌଣସି ବ୍ୟକ୍ତି ଅନଧିକୃତ ଭାବେ ପ୍ରବେଶ କରନ୍ତି, ନିୟମ ଭଙ୍ଗ କରି ଫଟୋ/ଭିଡିଓ ଉଠାନ୍ତି କିମ୍ବା ବିଦ୍ୟାଳୟ କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତି, ତେବେ ପ୍ରଧାନଶିକ୍ଷକ ତୁରନ୍ତ ସ୍ଥାନୀୟ ପୋଲିସ ଓ ଶିକ୍ଷା ଅଧିକାରୀଙ୍କୁ ଜଣାଇବେ। ଦୋଷୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ୨୦୨୩, ପୋକ୍ସୋ (POCSO) ଆକ୍ଟ ୨୦୧୨, ଜୁଭେନାଇଲ ଜଷ୍ଟିସ ଆକ୍ଟ ୨୦୧୫ ଏବଂ ଆଇଟି (IT) ଆକ୍ଟ ୨୦୦୦ ଅଧୀନରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।




