ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପକୁ ନେଇ ସାରାଜଗତରେ ଚର୍ଚ୍ଚା ଜୋର୍ ଧରିଛି। ସଭିଙ୍କ ମନରେ ଏକାକୀ ପ୍ରଶ୍ନ- ଏହା କ’ଣ ବାତ୍ୟାରେ ପରିଣତ ହେବ କି? ଯଦି ହେବ, ତେବେ ଏହାର ଗତିପଥ କେଉଁଆଡ଼େ ରହିବ ଏବଂ କେଉଁଠି ସ୍ଥଳଭାଗ ଛୁଇଁବ?

ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନ ଅନୁଯାୟୀ, ଅକ୍ଟୋବର ୨୩ ବେଳକୁ ଅର୍ଥାତ୍ ଆଜି ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହୋଇପାରେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, IMD ପକ୍ଷରୁ ଏପର୍ଯ୍ୟନ୍ତ ଏହା ବାତ୍ୟାରେ ପରିଣତ ହେବ ବୋଲି କୌଣସି ନିଶ୍ଚିତ ପୂର୍ବାନୁମାନ କରାଯାଇନାହିଁ। ତଥାପି ବିଭିନ୍ନ ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଗୁଡ଼ିକ ଭିନ୍ନ ଭିନ୍ନ ସଙ୍କେତ ଦେଉଛନ୍ତି:

  • ଆମେରିକାର GFS ମଡେଲ୍: ଅକ୍ଟୋବର ୨୪ ସୁଦ୍ଧା ଏହା ବାତ୍ୟା ସ୍ତରରେ ପହଞ୍ଚିବାର ସମ୍ଭାବନା ଦେଖାଉଛି।
  • ୟୁରୋପୀୟ ECMWF ମଡେଲ୍: ଅକ୍ଟୋବର ୨୬ରୁ ୨୭ ମଧ୍ୟରେ ଏହା ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି ଆକଳନ କରୁଛି।
  • IMD-GFS ମଡେଲ୍: ଅକ୍ଟୋବର ୨୮ ବେଳକୁ ଏହା ବାତ୍ୟାରୂପ ନେଇପାରେ ବୋଲି ସୂଚନା ଦେଉଛି।

ଏହାର ଗତିପଥକୁ ନେଇ ମଧ୍ୟ ପାଣିପାଗ ମଡେଲ୍ ଗୁଡ଼ିକରେ ମତଭେଦ ଦେଖାଦେଇଛି। ଅଧିକାଂଶ ମଡେଲ୍ ଅନୁଯାୟୀ, ଏହି ସମ୍ଭାବ୍ୟ ବ୍ୟବସ୍ଥା ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିପାରେ। କେତେକ ମଡେଲ୍ ଅକ୍ଟୋବର ୨୮ ବେଳକୁ ସ୍ଥଳଭାଗ ଛୁଇଁବାର ଆକଳନ କରୁଥିବାବେଳେ, ଅନ୍ୟ କିଛି ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଦିଗକୁ ମଧ୍ୟ ମୁହାଁଇପାରେ ବୋଲି ସୂଚନା ଦେଉଛନ୍ତି।

ତେଣୁ ବର୍ତ୍ତମାନ ସ୍ଥିତିରେ ବାତ୍ୟା ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ। ଲଘୁଚାପ ସୃଷ୍ଟି ହେବା ପରେ ହିଁ ଏହାର ପ୍ରକୃତ ତୀବ୍ରତା ଏବଂ ସ୍ଥଳଭାଗ ସ୍ପର୍ଶ ସ୍ଥାନ ସମ୍ପର୍କରେ ସଠିକ୍ ସୂଚନା ମିଳିପାରିବ।