କଟକ: କଟକ-ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ଫୁଲନଖରା ନିକଟରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ବୁଧବାର ରାତି ପ୍ରାୟ ୧୦:୩୦ ବେଳେ ଘଟିଥିବା ଏହି ଦୁର୍ଘଟଣାରେ ଓଡ଼ିଶାର ଦୁଇ ଜଣ ପ୍ରତିଭାବାନ୍ ଯୁବ ଆଥଲେଟ୍ ମୃତ୍ୟମ୍ ଜୟରାମ ଡୋଣ୍ଡାପାଟି ଏବଂ ମଳୟ ବାରିକଙ୍କ ଅକାଳ ବିୟୋଗ ଘଟିଛି। ଏହି ଘଟଣା ସମଗ୍ର ରାଜ୍ୟ କ୍ରୀଡ଼ା ଜଗତରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି।
ଦୁର୍ଘଟଣା ପରେ ଉଭୟଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ (SCB) ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଜୟରାମ ଏବଂ ମଳୟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ୍ସ୍ଥିତ ହାଇ ପରଫରମାନ୍ସ ସେଣ୍ଟର (HPC) ରେ ନିୟମିତ ପ୍ରଶିକ୍ଷଣ ନେଉଥିଲେ।
ଜୟରାମ ଭାରତର ଅନ୍ୟତମ ଦ୍ରୁତତମ ଯୁବ ସ୍ପ୍ରିଣ୍ଟର (ଦୌଡ଼ବୀଦ) ଥିଲେ। ୨୦୨୫ ଇଣ୍ଡିଆନ୍ ଓପନ୍ ଅଣ୍ଡର-୨୩ ଆଥଲେଟିକ୍ସ ପ୍ରତିଯୋଗିତାରେ ସେ ପୁରୁଷ ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତି ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଥିଲେ। ମଳୟ ଜଣେ ଅତ୍ୟନ୍ତ ପ୍ରତିଭାବାନ୍ ୪୦୦ ମିଟର ରନର୍ ଥିଲେ। ସେ ରାଜ୍ୟ ଏବଂ ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରି ପ୍ରଶଂସିତ ହୋଇଥିଲେ।
ଏହି ଅପୂରଣୀୟ କ୍ଷତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେ ସୋସିଆଲ ମିଡିଆ ‘ଏକ୍ସ’ (X) ରେ ଲେଖିଛନ୍ତି, “ଆଥଲେଟ୍ ମୃତ୍ୟମ୍ ଜୟରାମ ଡୋଣ୍ଡାପାଟି ଏବଂ ମଳୟ ବାରିକଙ୍କ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ସେମାନଙ୍କର ଏହି ଅସମୟ ବିୟୋଗ ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଅମର ଆତ୍ମାକୁ ସଦ୍ଗତି ପ୍ରଦାନ କରନ୍ତୁ ଏବଂ ପରିବାରକୁ ଏହି ଦୁଃଖ ସହିବାକୁ ଧୈର୍ଯ୍ୟ ଦିଅନ୍ତୁ।”
ସେହିପରି ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରି ଏହା ଓଡ଼ିଶା କ୍ରୀଡ଼ା କ୍ଷେତ୍ର ପାଇଁ ଏକ ବଡ଼ ଆଘାତ ବୋଲି ପ୍ରକାଶ କରିଛନ୍ତି।




