ଭୁବନେଶ୍ୱର: ସୀମାନ୍ତ କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବା ପରେ ରାଜ୍ୟରେ ଆରମ୍ଭ ହୋଇଛି ତୀବ୍ର ରାଜନୈତିକ କଳହ। କୋଟିଆ ବିବାଦ ପ୍ରସଙ୍ଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଗୁରୁବାର ଦିନ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଦକ୍ଷତା ଓ ଦୂରଦୃଷ୍ଟିର ଅଭାବକୁ କଡ଼ା ସମାଲୋଚନା କରିଛନ୍ତି। ଏହି ବହୁବର୍ଷର ପୁରୁଣା ସୀମା ବିବାଦକୁ କେବଳ ସର୍ବୋଚ୍ଚ ଅଦାଲତ ରେ ଲଟକାଇ ନରଖି ତୁରନ୍ତ ରାଜନୈତିକ ଓ କୂଟନୈତିକ ସ୍ତରରେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ସେ ଦାବି କରିଛନ୍ତି।

କୋଟିଆ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଓଡ଼ିଆ ଅସ୍ମିତାର ପ୍ରତୀକ। ଭକ୍ତ ଦାସ କହିଛନ୍ତି ଯେ, କେନ୍ଦ୍ର ସମେତ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବିଜେପି ଓ ନେତୃତ୍ୱାଧୀନ ସରକାର ଥିବାରୁ, ଆନ୍ତଃରାଜ୍ୟ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ବାହାର କରିବା ଉଚିତ।

କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି ଯେ, ସରକାରୀ ସ୍ତରରେ କେବଳ ସ୍ୱତନ୍ତ୍ର କମିଟି ଗଠନ, ଅଫିସର ସ୍ତରୀୟ ବୈଠକ ଏବଂ ରିପୋର୍ଟ ପ୍ରସ୍ତୁତି କୌଣସି ନିଷ୍କର୍ସରେ ପହଞ୍ଚିପାରି ନାହିଁ। ଆନ୍ଧ୍ରପ୍ରଦେଶ ବାରମ୍ବାର ଓଡ଼ିଶାର ସୀମା ଭିତରକୁ ଅନୁପ୍ରବେଶ କରୁଥିବା ବେଳେ ରାଜ୍ୟ ସରକାର ଦୁର୍ବଳ ଓ ଶିଥିଳ ଆଭିମୁଖ୍ୟ ପୋଷଣ କରୁଛନ୍ତି। ଓଡ଼ିଶାର ଭୌଗୋଳିକ ସ୍ୱାର୍ଥ ରକ୍ଷା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ଅନ୍ୟପଟେ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟଙ୍କ ସହ ବୈଠକ କରି ଆଇନଗତ ପଦକ୍ଷେପ ଏବଂ କୋର୍ଟ ନିର୍ଦ୍ଦେଶାବଳୀର ଅନୁପାଳନ ନେଇ ଆଲୋଚନା କରିଛନ୍ତି। ସୀମାନ୍ତ ଅଞ୍ଚଳରେ ଓଡ଼ିଶା ପ୍ରଶାସନର ଉପସ୍ଥିତିକୁ ମଜବୁତ୍ କରିବା ସହ ନିଜ ଆଇନଗତ ଅଧିକାର ଓ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବାକୁ ସରକାର ବଦ୍ଧପରିକର ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

୨୦୦୬: ଓଡ଼ିଶା ସରକାର ଆନ୍ତଃରାଜ୍ୟ ସୀମା ବିବାଦ ନେଇ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହି ଆବେଦନ ଏବଂ ପରବର୍ତ୍ତୀ କ୍ୟୁରେଟିଭ୍ ପିଟିସନ୍ ଖାରଜ ହୋଇଯାଇଥିଲା।

୨୦୨୨: ଦୀର୍ଘ ୧୬ ବର୍ଷର ବ୍ୟବଧାନ ପରେ ଓଡ଼ିଶା ସରକାର ଶୀର୍ଷ ଅଦାଲତରେ ଏକ ନୂତନ ମାମଲା ଦାୟର କରିଥିଲେ, ଯାହା ବର୍ତ୍ତମାନ ସୁଦ୍ଧା ଅଦାଲତରେ ବିଚାରାଧୀନ ରହିଛି।