ୱାଶିଂଟନ: ନୋବେଲ ଶାନ୍ତି ପୁରସ୍କାର ନମିଳିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଆସୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ପୁଲିଜର ପୁରସ୍କାରକୁ ନେଇ ନିଜର ଦାବି ରଖିଛନ୍ତି। ନିଜ ଲେଖା ପାଇଁ ତାଙ୍କୁ ମଧ୍ୟ ପୁଲିଜର ପୁରସ୍କାର ମିଳିବା ଉଚିତ ଥିଲା ବୋଲି ସେ କହିଛନ୍ତି। ବୁଧବାର ଦକ୍ଷିଣ କାରୋଲିନାର ପେଣ୍ଡଲଟନ୍ସ୍ଥିତ ଟି. ଏଡ୍ ଗ୍ୟାରିସନ୍ ଆରେନାରେ ରିପବ୍ଲିକାନ୍ ସମର୍ଥକଙ୍କ ଏକ ସମାବେଶକୁ ସମ୍ବୋଧିତ କରିବା ସମୟରେ ଟ୍ରମ୍ପ ଏହି ମନ୍ତବ୍ୟ ଦେଇଛନ୍ତି।
ଟ୍ରମ୍ପ କହିଥିଲେ, “ମୋତେ ନୋବେଲ ପୁରସ୍କାର ମିଳିଲା ନାହିଁ। ପୁଲିଜର ପୁରସ୍କାର ମଧ୍ୟ ମିଳିଲା ନାହିଁ। ମୋ ଲେଖା ପାଇଁ ମଧ୍ୟ ମୋତେ ପୁଲିଜର ପୁରସ୍କାର ମିଳିବା ଉଚିତ ଥିଲା।” ଏହା ସହ ରୁଷ୍ ସମ୍ପର୍କିତ ତଦନ୍ତମୂଳକ ଖବର ପ୍ରକାଶ କରି ପୁଲିଜର ପୁରସ୍କାର ପାଇଥିବା ସାମ୍ବାଦିକମାନଙ୍କୁ ସେ ସମାଲୋଚନା କରିଥିଲେ। ସେମାନଙ୍କ ରିପୋର୍ଟ ଭୁଲ୍ ଥିଲା ଏବଂ ସେମାନେ ଏହି ସମ୍ମାନ ପାଇବାକୁ ଯୋଗ୍ୟ ନଥିଲେ ବୋଲି ଟ୍ରମ୍ପ ଦାବି କରିଥିଲେ।
ରୁଷ୍ ତଦନ୍ତ ରିପୋର୍ଟକୁ ନେଇ ପୁଣି ବିବାଦ
୨୦୧୬ ମସିହାର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୁଷ୍ର ହସ୍ତକ୍ଷେପ ଏବଂ ଟ୍ରମ୍ପଙ୍କ ନିର୍ବାଚନୀ ପ୍ରଚାର ଦଳ ସହ ରୁଷ୍ର ସମ୍ଭାବ୍ୟ ସମ୍ପର୍କ ଉପରେ ଖବର ପ୍ରକାଶ କରିଥିବାରୁ ୨୦୧୮ରେ ‘ଦି ନ୍ୟୁୟର୍କ ଟାଇମ୍ସ’ ଓ ‘ଦି ୱାଶିଂଟନ୍ ପୋଷ୍ଟ’ ପୁଲିଜର ପୁରସ୍କାର ପାଇଥିଲେ।
ଏହି ଖବରଗୁଡ଼ିକୁ ଟ୍ରମ୍ପ ଦୀର୍ଘଦିନ ଧରି ସମାଲୋଚନା କରିଆସୁଛନ୍ତି। ପୁରସ୍କାର ପ୍ରତ୍ୟାହାର ପାଇଁ ମଧ୍ୟ ସେ ଦାବି କରିଥିଲେ। କିନ୍ତୁ ୨୦୨୨ରେ ପୁଲିଜର ପୁରସ୍କାର ବୋର୍ଡ ତାଙ୍କ ଦାବିକୁ ଖାରଜ କରିଦେଇଥିଲା। ପୁରସ୍କୃତ ରିପୋର୍ଟଗୁଡ଼ିକ ଭୁଲ୍ ଥିବାର କୌଣସି ପ୍ରମାଣ ମିଳିନଥିବା ବୋର୍ଡ ପକ୍ଷରୁ କୁହାଯାଇଥିଲା।
କେଉଁ ଲେଖା ପାଇଁ ପୁଲିଜର ଚାହୁଁଛନ୍ତି ଟ୍ରମ୍ପ?
ପୁଲିଜର ପୁରସ୍କାର ଆମେରିକାର ସାମ୍ବାଦିକତା, ସାହିତ୍ୟ, ନାଟକ ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଦାନ କରାଯାଏ। ତେବେ ନିଜର କେଉଁ ନିର୍ଦ୍ଦିଷ୍ଟ ଲେଖା ପାଇଁ ଏହି ପୁରସ୍କାର ମିଳିବା ଉଚିତ ବୋଲି ସେ ଭାବୁଛନ୍ତି, ତାହା ଟ୍ରମ୍ପ ସ୍ପଷ୍ଟ କରିନାହାନ୍ତି।
ଟ୍ରମ୍ପଙ୍କ ନାମରେ ବ୍ୟବସାୟ, ରାଜନୀତି, ଅର୍ଥନୀତି ଓ ଆତ୍ମଜୀବନୀ ସମ୍ପର୍କିତ ପ୍ରାୟ ୨୦ଟି ପୁସ୍ତକ ପ୍ରକାଶ ପାଇଛି। ୧୯୮୭ରେ ପ୍ରକାଶିତ ‘ଦି ଆର୍ଟ ଅଫ୍ ଦି ଡିଲ୍’ ତାଙ୍କର ଏକ ବହୁଚର୍ଚ୍ଚିତ ପୁସ୍ତକ। ଏହାକୁ ଟୋନି ସ୍ୱାର୍ଜ ଲେଖିଥିଲେ। ଟ୍ରମ୍ପଙ୍କ ନାମରେ ପ୍ରକାଶିତ ଅନ୍ୟ କେତେକ ପୁସ୍ତକରେ ମଧ୍ୟ ସହଲେଖକଙ୍କ ଅବଦାନ ରହିଛି।
ଏହି ସମାବେଶରେ ଟ୍ରମ୍ପ ପୁଣି ନୋବେଲ ଶାନ୍ତି ପୁରସ୍କାର ପ୍ରସଙ୍ଗ ଉଠାଇଥିଲେ। ଏକାଧିକ ଅନ୍ତର୍ଜାତୀୟ ସଂଘର୍ଷର ସମାଧାନରେ ନିଜର ଭୂମିକା ଥିବାରୁ ସେ ଏହି ସମ୍ମାନ ପାଇବାକୁ ଯୋଗ୍ୟ ବୋଲି ଦାବି କରିଥିଲେ। ନୋବେଲ ଓ ପୁଲିଜର ପୁରସ୍କାରକୁ ନେଇ ତାଙ୍କର ଏହି ମନ୍ତବ୍ୟ ଏବେ ଆମେରିକାର ରାଜନୈତିକ ଓ ଗଣମାଧ୍ୟମ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।




