ଛତ୍ରପୁର: ପାର୍ବଣ ଋତୁରେ ବେଆଇନ ଜୁଆ ଖେଳ ଉପରେ ଗଞ୍ଜାମ ପୁଲିସ ଚଢ଼ଉ ଜୋରଦାର କରିଛି। ଗତ ତିନି ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ୭୯ଟି ଜୁଆ ଆଡ୍ଡା ଉପରେ ଚଢ଼ଉ କରାଯାଇ ୪୪୦ ଜଣଙ୍କୁ ଗିରଫ କରାଯାଇଛି।

ଏହି ଅଭିଯାନ ସମୟରେ ପୁଲିସ ୧୧ ଲକ୍ଷ ୬୪ ହଜାର ୯୩୬ ଟଙ୍କା ନଗଦ ଅର୍ଥ, ୧୧୩ଟି ମୋବାଇଲ୍ ଫୋନ୍ ଏବଂ ୨୫ଟି ଗାଡ଼ି ଜବତ କରିଛି।

ଅକ୍ଟୋବର ୨୨ ତାରିଖରେ ଗୋଟିଏ ଦିନରେ ୨୧ଟି ଥାନା ଅଞ୍ଚଳର ୪୨ଟି ଜୁଆ ଆଡ୍ଡାରେ ଚଢ଼ଉ ହୋଇଥିଲା। ଏହି ଅଭିଯାନରେ ୨୫୦ ଜଣ ଗିରଫ ହୋଇଥିବା ବେଳେ ୭ ଲକ୍ଷ ୯ ହଜାର ୮୭୧ ଟଙ୍କା, ୬୯ଟି ମୋବାଇଲ୍ ଫୋନ୍ ଓ ୧୧ଟି ଗାଡ଼ି ଜବତ ହୋଇଥିଲା।

ପୁଲିସ ସୂଚନା ଅନୁଯାୟୀ, ଭଞ୍ଜନଗର ଥାନାରେ ସର୍ବାଧିକ ୫ଟି ମାମଲା ରୁଜୁ ହେବା ସହ ୨୯ ଜଣ ଗିରଫ ହୋଇଛନ୍ତି। ସେହିପରି ହିଞ୍ଜିଳିକାଟୁ ଥାନାରେ ୨ଟି ମାମଲା ରୁଜୁ ହୋଇଥିବା ବେଳେ ୫ ଜଣ ଗିରଫ ହୋଇଛନ୍ତି। ଏହି ଅଞ୍ଚଳରୁ ୯୧ ହଜାର ୩୪୦ ଟଙ୍କା ମଧ୍ୟ ଜବତ କରାଯାଇଛି।

ଗଞ୍ଜାମ ଏସ୍‌ପି ହରିଶ ବି.ସି. କହିଛନ୍ତି ଯେ ପାର୍ବଣ ସମୟରେ ବେଆଇନ ଜୁଆ ଖେଳ ସମେତ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ଉପରେ ପୁଲିସର କଡ଼ା ନଜର ରହିଛି। ଏପରି କୌଣସି କାର୍ଯ୍ୟକଳାପ ସମ୍ପର୍କରେ ଜଣାପଡ଼ିଲେ ତୁରନ୍ତ ୧୧୨ ଜରୁରୀକାଳୀନ ନମ୍ବରରେ ଯୋଗାଯୋଗ କରି ସୂଚନା ଦେବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।