ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ଚାଉଳର ବିବିଧତା ଓ ସମୃଦ୍ଧ କୃଷି ଐତିହ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ପାଇଁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ (ବିଆଇଆରସି) ୨୦୨୬ରେ ରାଜ୍ୟର ୮ଟି ଜିଲ୍ଲାର ୧୫ ପ୍ରକାର ଚାଉଳ ଓ ଚାଉଳଜାତ ଉତ୍ପାଦ ପ୍ରଦର୍ଶିତ ହେଉଛି। ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲିବ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ଓରମାସ୍‌) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏଥିରେ ୮୫ଟି ଗୋଷ୍ଠୀଭିତ୍ତିକ ସଂଗଠନର ୩,୬୯୫ ଜଣ ସଦସ୍ୟ ସାମିଲ ହୋଇଛନ୍ତି। ଓଡ଼ିଶାର ସ୍ୱତନ୍ତ୍ର ଚାଉଳ କିସମକୁ ବ୍ୟାପକ ବଜାରରେ ପହଞ୍ଚାଇବା ସହ ଗ୍ରାମୀଣ ଉତ୍ପାଦକଙ୍କ ଆୟ ବୃଦ୍ଧି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ପ୍ରଦର୍ଶନୀରେ ପୁରୀ ଜିଲ୍ଲାର ସାରଳା, ସୋନା ମସୁରୀ, ପୂଜା ଓ ସମ୍ରାଟ ଚାଉଳ ସ୍ଥାନ ପାଇଛି। ସେହିପରି କେନ୍ଦ୍ରାପଡ଼ାର ଲୀଳାବତୀ ସୁଗନ୍ଧିତ ଚାଉଳ, କୋରାପୁଟର ଜିଆଇ ଟ୍ୟାଗ୍‌ପ୍ରାପ୍ତ କଳାଜୀରା, ମୟୂରଭଞ୍ଜର ମୁଗେଇ, ସଲାଫୁଲା ଓ କଳାଚମ୍ପା, ବରଗଡ଼ର ଜାସ୍ମିନ୍ ବ୍ଲାକ୍ ରାଇସ୍ ଏବଂ ଗଞ୍ଜାମର ଖଣିପକା ଓ ଲାବଣ୍ୟ ବ୍ଲାକ୍ ରାଇସ୍ ପ୍ରଦର୍ଶିତ ହେଉଛି। ଏହା ସହ ସୁନ୍ଦରଗଡ଼ର କନ୍ଦେରାଝାଲ ଓ ମାଛକଣ୍ଟା ଏବଂ ଜଗତସିଂହପୁରର କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ (ଜିଆଇ) ଥିବା ଚାଉଳ ମଧ୍ୟ ରହିଛି।

ଏହି ସମ୍ମିଳନୀ ମାଧ୍ୟମରେ ଚାଷୀ ଓ ଉତ୍ପାଦକ ଗୋଷ୍ଠୀଙ୍କୁ ବ୍ୟବସାୟୀ, ଖୁଚୁରା ବିକ୍ରେତା, ଚାଉଳ ପ୍ରକ୍ରିୟାକରଣ ସଂସ୍ଥା, ହୋଟେଲ, ରେସ୍ତୋରାଁ ଓ ବଡ଼ କ୍ରେତାଙ୍କ ସହ ଯୋଡ଼ିବାକୁ ଉଦ୍ୟମ କରାଯାଉଛି। ଉତ୍ପାଦର ଗୁଣବତ୍ତା, ଆକର୍ଷଣୀୟ ପ୍ୟାକେଜିଂ, ବ୍ରାଣ୍ଡିଂ ଓ ବିପଣନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ମଧ୍ୟ ଓରମାସ୍ ଗୁରୁତ୍ୱ ଦେଉଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମତରେ, ଓଡ଼ିଶାର ପାରମ୍ପରିକ ଚାଉଳ କିସମରେ ପିଢ଼ି ପିଢ଼ିର କୃଷିଜ୍ଞାନ ଓ ଆଞ୍ଚଳିକ ପରିଚୟ ରହିଛି। ଏହି ସମ୍ପଦକୁ ବ୍ୟବହାର କରି ଚାଷୀଙ୍କ ପାଇଁ ନୂଆ ବଜାର ସୁଯୋଗ ସୃଷ୍ଟି କରିବା ଓ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ରାଜ୍ୟର ଲକ୍ଷ୍ୟ।

ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି ଯେ, ଓରମାସ୍ ମାଧ୍ୟମରେ ଗୋଷ୍ଠୀଭିତ୍ତିକ ସଂଗଠନଗୁଡ଼ିକର ଉତ୍ପାଦର ଗୁଣବତ୍ତା, ପ୍ୟାକେଜିଂ ଓ ବଜାର ସଂଯୋଗକୁ ମଜବୁତ କରିବାକୁ ଉଦ୍ୟମ ହେଉଛି। ଏହାଦ୍ୱାରା ଓଡ଼ିଶାର କୃଷି ବିବିଧତାର ସୁରକ୍ଷା ସହ ଉତ୍ପାଦକଙ୍କୁ ଉନ୍ନତ ଆର୍ଥିକ ଲାଭ ମିଳିବାର ଆଶା ରହିଛି।