ନୂଆଦିଲ୍ଲୀ: ଏଲନ୍‌ ମସ୍କଙ୍କ ମାଲିକାନାରେ ଥିବା ଷ୍ଟାର୍‌ଲିଙ୍କ୍‌କୁ ଭାରତରେ ଉପଗ୍ରହ ଆଧାରିତ ବ୍ରଡ୍‌ବ୍ୟାଣ୍ଡ୍‌ ଇଣ୍ଟରନେଟ୍‌ ସେବା ଆରମ୍ଭ କରିବାକୁ ଅନୁମତି ନଦେବା ପାଇଁ ଦାବି କରିଛି ସ୍ୱଦେଶୀ ଜାଗରଣ ମଞ୍ଚ (ଏସ୍‌ଜେଏମ୍‌)। ଜାତୀୟ ସୁରକ୍ଷା ଓ ଡାଟା ନିୟନ୍ତ୍ରଣ ସମ୍ପର୍କିତ ଆଶଙ୍କା ଦର୍ଶାଇ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି।

ସଂଗଠନର ଜାତୀୟ ସହ-ସଂଯୋଜକ ଅଶ୍ୱିନୀ ମହାଜନଙ୍କ ଅନୁସାରେ, ଷ୍ଟାର୍‌ଲିଙ୍କ୍‌ର ଉପଗ୍ରହଗୁଡ଼ିକ ପରସ୍ପର ମଧ୍ୟରେ ଲେଜର୍‌ ଲିଙ୍କ୍‌ ଜରିଆରେ ଡାଟା ଆଦାନପ୍ରଦାନ କରିପାରୁଥିବାରୁ ଭାରତୀୟ ଇଣ୍ଟରନେଟ୍‌ ଟ୍ରାଫିକ୍‌ ଦେଶରେ ଥିବା ଗେଟ୍‌ୱେକୁ ଏଡ଼ାଇ ଅନ୍ୟ ଦେଶର ଭିତ୍ତିଭୂମି ଦେଇ ଯାଇପାରେ। ଏହାଦ୍ୱାରା ସୁରକ୍ଷାଜନିତ ଜରୁରୀ ପରିସ୍ଥିତିରେ ଆଇନସମ୍ମତ ନିରୀକ୍ଷଣ ଓ ଇଣ୍ଟରନେଟ୍‌ ସେବା ନିୟନ୍ତ୍ରଣ କରିବା କଷ୍ଟକର ହୋଇପାରେ ବୋଲି ସଂଗଠନ ଆଶଙ୍କା କରିଛି।

ଏସ୍‌ଜେଏମ୍‌ର ଦାବି ଅନୁଯାୟୀ, ସରକାରଙ୍କ ନିର୍ଦ୍ଦେଶରେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କିମ୍ବା ସୀମିତ କରିବାର କ୍ଷମତା ରହିବା ଆବଶ୍ୟକ। କିନ୍ତୁ ଷ୍ଟାର୍‌ଲିଙ୍କ୍‌ ଏହି ଆବଶ୍ୟକତା ପୂରଣ ନେଇ ସ୍ପଷ୍ଟ ପ୍ରତିଶ୍ରୁତି ଦେଇନାହିଁ କିମ୍ବା ଏହାର ପ୍ରଯୁକ୍ତିବିଦ୍ୟାରେ ସେପରି ବ୍ୟବସ୍ଥା ସମ୍ଭବ ନ ହୋଇପାରେ ବୋଲି ସଂଗଠନ ମତ ଦେଇଛି।

ଆତଙ୍କବାଦ, ବିଚ୍ଛିନ୍ନତାବାଦ, ଦଙ୍ଗା କିମ୍ବା ଅନ୍ୟ ଆଇନଶୃଙ୍ଖଳା ପରିସ୍ଥିତିରେ ଉପଗ୍ରହ ଇଣ୍ଟରନେଟ୍‌ର ଅପବ୍ୟବହାର ହେବା ଆଶଙ୍କା ମଧ୍ୟ ମଞ୍ଚ ପକ୍ଷରୁ ଉଠାଯାଇଛି। ପାରମ୍ପରିକ ଟେଲିକମ୍‌ ନେଟ୍‌ୱର୍କ ବାହାରେ ଯୋଗାଯୋଗ କରିବାର ସୁଯୋଗ ଏପରି ଗୋଷ୍ଠୀଙ୍କୁ ମିଳିପାରେ ବୋଲି ସଂଗଠନ ଦାବି କରିଛି।

ଷ୍ଟାର୍‌ଲିଙ୍କ୍‌ର ଅନୁମତି ପ୍ରସଙ୍ଗକୁ ନେଇ ଏଲନ୍‌ ମସ୍କଙ୍କ ଭାରତୀୟ ବ୍ୟବସାୟୀ ଓ ସରକାରଙ୍କ ସମ୍ପର୍କିତ ମନ୍ତବ୍ୟକୁ ମଧ୍ୟ ଏସ୍‌ଜେଏମ୍‌ ସମାଲୋଚନା କରିଛି। ଆବଶ୍ୟକ ସୁରକ୍ଷା ସର୍ତ୍ତ ପୂରଣ କରିବା ଉପରେ ଗୁରୁତ୍ୱ ଦେବା ପରିବର୍ତ୍ତେ ସାର୍ବଜନୀନ ଚାପ ସୃଷ୍ଟି କରାଯାଉଥିବା ସଂଗଠନ ଅଭିଯୋଗ କରିଛି।

ଅନ୍ୟପକ୍ଷରେ, ଭାରତରେ ଷ୍ଟାର୍‌ଲିଙ୍କ୍‌ ସମେତ ରିଲାଏନ୍ସ ଜିଓ ଓ ଭାରତୀ ଗ୍ରୁପ୍‌ ସମର୍ଥିତ ଉପଗ୍ରହ ଇଣ୍ଟରନେଟ୍‌ ପ୍ରକଳ୍ପଗୁଡ଼ିକର ସୁରକ୍ଷା ଯାଞ୍ଚ ଚାଲିଛି। ଆବଶ୍ୟକ ସୁରକ୍ଷା ସର୍ତ୍ତ ପୂରଣ ହେବା ପରେ ହିଁ ପରବର୍ତ୍ତୀ ଅନୁମତି ଓ ବାଣିଜ୍ୟିକ ସେବା ଆରମ୍ଭ ପ୍ରକ୍ରିୟା ଆଗକୁ ବଢ଼ିବ। ଷ୍ଟାର୍‌ଲିଙ୍କ୍‌କୁ ଅନୁମତି ଦିଆଯିବ କି ନାହିଁ, ସେନେଇ ସରକାରଙ୍କ ଅନ୍ତିମ ନିଷ୍ପତ୍ତି ଆସିନାହିଁ।