ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ବ୍ୟବସାୟ ପ୍ରଭାବିତ ହେବା ଆଶଙ୍କା ପ୍ରକାଶ କରି ନଭେମ୍ବର ୧ରେ ଦିଲ୍ଲୀର ରାମଲୀଳା ମଇଦାନରେ ହେବାକୁ ଥିବା କଂଗ୍ରେସର ରାଲିକୁ ସ୍ଥଗିତ ରଖିବାକୁ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିଛି ଦିଲ୍ଲୀର ବ୍ୟବସାୟୀ ସଂଗଠନ ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ସିଟିଆଇ)। ନଭେମ୍ବର ୧୦ରେ ଭାଇ ଦୁଜ୍ ପର୍ବ ଶେଷ ହେବା ପରେ ରାଲି ଆୟୋଜନ କରିବାକୁ ସଂଗଠନ ପ୍ରସ୍ତାବ ଦେଇଛି।

ସିଟିଆଇ ଅଧ୍ୟକ୍ଷ ବ୍ରିଜେଶ ଗୋୟଲ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ପାର୍ବଣ ସମୟରେ ବ୍ୟବସାୟୀମାନଙ୍କ ସମସ୍ୟା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି। ତାଙ୍କ ମତରେ, ଏହି ସମୟରେ ବଜାରରେ ଗ୍ରାହକଙ୍କ ଭିଡ଼ ବଢ଼ୁଥିବାରୁ ରାଲି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେଲେ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇପାରେ।

ସଂଗଠନର ଆକଳନ ଅନୁଯାୟୀ, ଧନତେରସ୍‌ ଅବସରରେ ଦିଲ୍ଲୀରେ ସୁନା, ରୂପା, ବାସନକୁସନ, ଇଲେକ୍ଟ୍ରୋନିକ୍ସ, ପୋଷାକ, ମିଠା, ଅଟୋମୋବାଇଲ୍‌ ଓ ଉପହାର ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରାୟ ୨୫ ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଥାଏ। ଚଳିତ ବର୍ଷ ଧନତେରସ୍‌ ନଭେମ୍ବର ୬, ଦୀପାବଳି ନଭେମ୍ବର ୮ ଏବଂ ଭାଇ ଦୁଜ୍‌ ନଭେମ୍ବର ୧୦ରେ ପାଳନ କରାଯିବ।

ଏହାସହ ଅକ୍ଟୋବର ମାସରେ କନଟ୍ ପ୍ଲେସ୍‌, ଇଣ୍ଡିଆ ଗେଟ୍‌ ଓ କେନ୍ଦ୍ରୀୟ ଦିଲ୍ଲୀରେ ରାଲି, ଶୋଭାଯାତ୍ରା ଓ ରାସ୍ତା ବନ୍ଦ ଯୋଗୁଁ ପ୍ରାୟ ୩ ହଜାର କୋଟି ଟଙ୍କାର ବ୍ୟବସାୟିକ କ୍ଷତି ହୋଇଥିବା ସିଟିଆଇ ଦାବି କରିଛି। ରାସ୍ତାରେ ଯାତାୟାତ କଟକଣା ଯୋଗୁଁ ପାଇକାରୀ ବଜାରକୁ ସାମଗ୍ରୀ ପହଞ୍ଚିବା ଏବଂ ଖୁଚୁରା ବଜାରକୁ ଗ୍ରାହକ ଆସିବାରେ ସମସ୍ୟା ହୋଇଥିବା ସଂଗଠନ କହିଛି।

ରାମଲୀଳା ମଇଦାନର ପାଞ୍ଚ କିଲୋମିଟର ପରିଧି ମଧ୍ୟରେ ଚାନ୍ଦନୀ ଚୌକ, ସଦର ବଜାର, ଚାୱରୀ ବଜାର, ଖାରୀ ବାଓଲି, କାଶ୍ମୀର ଗେଟ୍‌ ଓ କାରୋଲ ବାଗ୍‌ ଭଳି ଅନେକ ପ୍ରମୁଖ ବଜାର ରହିଛି। ରାଲି ସମୟରେ ଟ୍ରାଫିକ୍‌ କଟକଣା, ବ୍ୟାରିକେଡିଂ ଓ ମେଟ୍ରୋ ଚଳାଚଳରେ ସମ୍ଭାବ୍ୟ ପ୍ରତିବନ୍ଧକ ଯୋଗୁଁ ବ୍ୟବସାୟୀ ଓ ଗ୍ରାହକଙ୍କ ଯାତାୟାତ ପ୍ରଭାବିତ ହୋଇପାରେ ବୋଲି ସିଟିଆଇ ଆଶଙ୍କା କରିଛି।

ତେବେ ଶାନ୍ତିପୂର୍ଣ୍ଣ ରାଲି ଓ ପ୍ରତିବାଦ କରିବା ରାଜନୈତିକ ଦଳଗୁଡ଼ିକର ଗଣତାନ୍ତ୍ରିକ ଅଧିକାର ବୋଲି ସ୍ୱୀକାର କରିବା ସହ ପାର୍ବଣ ଋତୁରେ ବ୍ୟବସାୟୀଙ୍କ ଜୀବିକା ଓ ଗ୍ରାହକଙ୍କ ସୁବିଧାକୁ ମଧ୍ୟ ଧ୍ୟାନରେ ରଖିବାକୁ ସଂଗଠନ ଅନୁରୋଧ କରିଛି। ରାଲିର ତାରିଖ ପରିବର୍ତ୍ତନ ନେଇ କଂଗ୍ରେସ ପକ୍ଷରୁ କୌଣସି ନିଷ୍ପତ୍ତି ଘୋଷଣା ହୋଇଥିବା ସୂଚନା ନାହିଁ।