ମାନିଲା: ଫିଲିପାଇନ୍ସ ବାୟୁସେନାର ଦୁଇଟି ପ୍ରଶିକ୍ଷଣ ବିମାନ ଆକାଶରେ ପରସ୍ପର ଧକ୍କା ହୋଇ ଖସିପଡ଼ିବାରୁ ଚାରି ଜଣ ପାଇଲଟ୍ଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର (ଅକ୍ଟୋବର ୨୩) ଅପରାହ୍ଣରେ ମାନିଲାର ଦକ୍ଷିଣରେ ଥିବା ବାଟାଙ୍ଗାସ୍ ପ୍ରଦେଶର ଫର୍ନାଣ୍ଡୋ ବାୟୁସେନା ଘାଟି ନିକଟରେ ଏହି ଦୁର୍ଘଟଣା ଘଟିଥିବା ଶନିବାର ବାୟୁସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଦୁର୍ଘଟଣାଗ୍ରସ୍ତ ଦୁଇଟି ବିମାନ SF-260 ମଡେଲ୍ର ଥିଲା। ପ୍ରଶିକ୍ଷଣ ଉଡ଼ାଣ ସମୟରେ ଅପରାହ୍ଣ ପ୍ରାୟ ୩ଟା ୫୧ ମିନିଟ୍ରେ ଏହି ଘଟଣା ଘଟିଥିଲା। ଉଭୟ ବିମାନ ବାୟୁସେନା ଘାଟିର ପରିସର ମଧ୍ୟରେ ଖସିପଡ଼ିଥିଲା। ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ମୃତାହତ ହୋଇନଥିବା ବାୟୁସେନା ସୂଚନା ଦେଇଛି।
ଫିଲିପାଇନ୍ସ ବାୟୁସେନା ଚାରି ଜଣ ପାଇଲଟ୍ଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ପଦକ୍ଷେପ ନେଇଛି। ପରିବାରବର୍ଗଙ୍କ ଗୋପନୀୟତାକୁ ସମ୍ମାନ ଦେବାକୁ ମଧ୍ୟ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି।
ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଫିଲିପାଇନ୍ସ ବାୟୁସେନା ଏହାର ସମସ୍ତ SF-260 ବିମାନର ଉଡ଼ାଣକୁ ସାମୟିକ ଭାବେ ବନ୍ଦ ରଖିଛି। ତଦନ୍ତ ଶେଷ ହେବା ପରେ ଏହି ବିମାନଗୁଡ଼ିକର ପୁନଃ ଚଳାଚଳ ନେଇ ନିଷ୍ପତ୍ତି ନିଆଯିବ।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ’ ମାସରେ ମଧ୍ୟ ଫିଲିପାଇନ୍ସର ଉତ୍ତରାଞ୍ଚଳରେ ଏକ SF-260 ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ଜଣ ପାଇଲଟ୍ଙ୍କ ମୃତ୍ୟୁ ହୋଇଥିଲା। ବାରମ୍ବାର ଘଟୁଥିବା ଏପରି ଦୁର୍ଘଟଣା ପରେ ବିମାନ ସୁରକ୍ଷା ଓ ପ୍ରଶିକ୍ଷଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ବଢ଼ିଛି।




