ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଙ୍ଗଲରେ ଚରୁଥିବା ବେଳେ ବାର୍ହା ଶିକାର ପାଇଁ ଦୁର୍ବୃତ୍ତମାନେ ଖଞ୍ଚିଥିବା ବୋମା ଖାଇଦେବାରୁ ଏକ ଗାଈ ପାଟିରେ ବିସ୍ଫୋରଣ ଘଟି ଗୁରୁତର ଭାବେ ଆହତ ହୋଇଛି। ଏହି ଅମାନୁଷିକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପାଳଲହଡ଼ା ରଜଡଙ୍ଗ ଗାଁର ପ୍ରମୋଦ ସାହୁଙ୍କ ଏକ ଗାଈ ପ୍ରତିଦିନପରି ନିକଟସ୍ଥ ଜଙ୍ଗଲକୁ ଚରିବା ପାଇଁ ଯାଇଥିଲା। ସେଠାରେ ବନ୍ୟଜନ୍ତୁ ବିଶେଷକରି ବାର୍ହା ଶିକାର କରିବା ପାଇଁ ଦୁର୍ବୃତ୍ତମାନେ ଖାଦ୍ୟରେ ମିଶାଇ କୌଶଳକ୍ରମେ ବୋମା ବା ବିସ୍ଫୋରକ ରଖିଥିଲେ।
ଗାଈଟି ଜଙ୍ଗଲରେ ଘାସ ଚରୁଥିବା ବେଳେ ଭୁଲବଶତଃ ଏହି ବୋମାକୁ ଖାଦ୍ୟ ଭାବି ପାଟିରେ ପକାଇ ଚୋବାଇ ଦେଇଥିଲା। ଫଳରେ ଗାଈ ପାଟି ଭିତରେ ଭୟଙ୍କର ବୋମା ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଗାଈଟିର ପାଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏହା ଗୁରୁତର ଅବସ୍ଥାରେ ରହିଛି।
ଜଙ୍ଗଲ ଆଖପାଖରେ ବାର୍ହା ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ଶିକାର ପାଇଁ ଏଭଳି ଦେଶୀ ବୋମା ବ୍ୟବହାର କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। ମାତ୍ର ବେଆଇନ ଶିକାରୀଙ୍କ ଏଭଳି କାରନାମା ଯୋଗାଁ ନିରୀହ ଗୋସମ୍ପଦ ଏବଂ ବେଳେବେଳେ ସାଧାରଣ ଲୋକମାନେ ମଧ୍ୟ ଗୁରୁତର ଦୁର୍ଘଟଣାର ଶିକାର ହେଉଛନ୍ତି।
ସ୍ଥାନୀୟ ବାସିନ୍ଦା ଏବଂ ଗୋପାଳକମାନେ ବନ୍ୟାଧିକାରୀ ଓ ପ୍ରଶାସନ ନିକଟରେ ଏଭଳି ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।




