କୋଲକାତା: ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ପରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ଗଙ୍ଗାସାଗର ମେଳା-୨୦୨୭ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଧାର୍ମିକ ସମାବେଶକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର କାକଦ୍ୱୀପଠାରେ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି।

ପ୍ରତିବର୍ଷ ଜାନୁଆରିରେ ମକର ସଂକ୍ରାନ୍ତି ଅବସରରେ ସାଗର ଦ୍ୱୀପରେ ଗଙ୍ଗାସାଗର ମେଳା ଆୟୋଜିତ ହୁଏ। ଗଙ୍ଗା ଓ ବଙ୍ଗୋପସାଗରର ସଙ୍ଗମସ୍ଥଳରେ ପବିତ୍ର ବୁଡ଼ ପକାଇବା ପାଇଁ ଦେଶର ବିଭିନ୍ନ ଅଞ୍ଚଳରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଠାକୁ ଆସନ୍ତି। କୁମ୍ଭମେଳା ପରେ ଏହା ଦେଶର ଅନ୍ୟତମ ବୃହତ୍‌ ଧାର୍ମିକ ସମାବେଶ ଭାବେ ପରିଚିତ।

୨୦୨୬ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ବିଜେପି ଗଙ୍ଗାସାଗର ମେଳାକୁ ଏକ ଅନ୍ତର୍ଜାତୀୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଉତ୍ସବରେ ପରିଣତ କରିବା ସହ ୟୁନେସ୍କୋର ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ଦେବା ପାଇଁ ଉଦ୍ୟମ କରିବାର ପ୍ରତିଶ୍ରୁତି ଦେଇଥିଲା। ଏହି ପ୍ରତିଶ୍ରୁତି ପୂରଣ ଦିଗରେ ସରକାର ଏବେ ପଦକ୍ଷେପ ନେଉଛନ୍ତି।

ମେଳାର ସୁପରିଚାଳନା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଆଗାମୀ ଦିନରେ କାକଦ୍ୱୀପ ଓ ସାଗର ଦ୍ୱୀପରେ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ନିୟୋଜିତ କରାଯାଇପାରେ। ମେଳାର ପରିଚାଳନା ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦେବା ଯୋଜନା ମଧ୍ୟ ରହିଛି।

ଏହାସହ ସାଗର ଦ୍ୱୀପକୁ ମୂଳଭୂଖଣ୍ଡ ସହ ସଂଯୋଗ କରିବା ପାଇଁ ମୁରିଗଙ୍ଗା ନଦୀ ଉପରେ ପ୍ରସ୍ତାବିତ ସେତୁ ନିର୍ମାଣ ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାରେ ରହିଛି। ପୂର୍ବ ସରକାର ଏହି ପ୍ରକଳ୍ପ ନେଇ ଆବଶ୍ୟକ ଜମି ଅଧିଗ୍ରହଣ ଓ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିନଥିବା ଅଭିଯୋଗ କରିଛନ୍ତି ଶୁଭେନ୍ଦୁ ଅଧିକାରୀ। ୨୦୨୯ ସୁଦ୍ଧା ସେତୁ ନିର୍ମାଣ ଶେଷ କରିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି।

ଗଙ୍ଗାସାଗର ମେଳା ସମୟରେ ଶ୍ରଦ୍ଧାଳୁଙ୍କ ଯାତାୟାତ, ସୁରକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଓ ନଦୀପଥରେ ପାରାପାର ବ୍ୟବସ୍ଥା ସୁନିଶ୍ଚିତ କରିବା ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ। ତେଣୁ ଆଗୁଆ ପ୍ରସ୍ତୁତି ମାଧ୍ୟମରେ ମେଳାକୁ ସୁବ୍ୟବସ୍ଥିତ କରିବା ସହ ଏହାର ଅନ୍ତର୍ଜାତୀୟ ପରିଚିତି ବଢ଼ାଇବା ଉପରେ ରାଜ୍ୟ ସରକାର ଧ୍ୟାନ ଦେଉଛନ୍ତି।