ଭୁବନେଶ୍ୱର: ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଇନ୍‌ଫୋଭ୍ୟାଲି-୨ରେ ନିର୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ନୂତନ ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ରବିବାର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପ୍ରକଳ୍ପ ଦେଶର ଡିଜିଟାଲ୍‌ ଆର୍ଥିକ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ତଥ୍ୟର ସୁରକ୍ଷାକୁ ମଜବୁତ କରିବାରେ ସହାୟକ ହେବ।

ପ୍ରଧାନମନ୍ତ୍ରୀ ଅପରାହ୍ଣ ପ୍ରାୟ ୪ଟା ୧୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ହେଲିକପ୍ଟର ଯୋଗେ ଜଟଣୀ ନିକଟସ୍ଥ ଇନ୍‌ଫୋଭ୍ୟାଲି ଅଞ୍ଚଳରେ ପହଞ୍ଚି ପ୍ରକଳ୍ପ ଦୁଇଟିର ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ।

ପ୍ରାୟ ୧୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଡାଟା ସେଣ୍ଟର ଆର୍‌ବିଆଇର ଗୁରୁତ୍ୱପୂର୍ଣ୍ଣ କମ୍ପ୍ୟୁଟିଂ ଆବଶ୍ୟକତା ପୂରଣ କରିବ। ଏଠାରେ ଅତ୍ୟାଧୁନିକ ଡାଟା ସଂରକ୍ଷଣ ଓ ପରିଚାଳନା ବ୍ୟବସ୍ଥା ରହିଛି। ଏହି ଭିତ୍ତିଭୂମିରେ ଡିଜିଟାଲ୍‌ ପେମେଣ୍ଟ୍‌ ଓ ଅର୍ଥ ନେଣଦେଣ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାଗୁଡ଼ିକୁ ସୁରକ୍ଷିତ ଭାବେ ପରିଚାଳନା କରାଯାଇପାରିବ।

ଏହି ଡାଟା ସେଣ୍ଟରକୁ ଉଚ୍ଚମାନର ଭିତ୍ତିଭୂମି ଓ କାର୍ଯ୍ୟକ୍ଷମତା ପାଇଁ ଅନ୍ତର୍ଜାତୀୟ ଟିୟର୍‌-୪ ପ୍ରମାଣପତ୍ର ମିଳିଛି। ଏହି ମାନକ ଡାଟା ସେଣ୍ଟରର ନିରନ୍ତର କାର୍ଯ୍ୟକ୍ଷମତା, ନିର୍ଭରଯୋଗ୍ୟତା ଓ ବିପର୍ଯ୍ୟୟ ସମୟରେ ସେବା ଜାରି ରଖିବାର କ୍ଷମତାକୁ ଗୁରୁତ୍ୱ ଦିଏ। ଏହା ଭାରତର ଡିଜିଟାଲ୍‌ ଆର୍ଥିକ ବ୍ୟବସ୍ଥା ପାଇଁ ଏକ ସୁରକ୍ଷିତ ଭିତ୍ତିଭୂମି ଭାବେ କାମ କରିବ।

ଏହା ସହ ଉଦ୍‌ଘାଟିତ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ବ୍ୟାଙ୍କିଂ, ଆର୍ଥିକ ସେବା ଓ ବୀମା କ୍ଷେତ୍ରର ଅଧିକାରୀମାନଙ୍କୁ ଆଧୁନିକ ସାଇବର ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ପ୍ରଶିକ୍ଷଣ ଦିଆଯିବ। କ୍ୱାଣ୍ଟମ୍‌ କମ୍ପ୍ୟୁଟିଂ, କୃତ୍ରିମ ବୁଦ୍ଧିମତ୍ତା (AI) ଓ ଅନ୍ୟାନ୍ୟ ନୂତନ ପ୍ରଯୁକ୍ତି କ୍ଷେତ୍ରରେ ଗବେଷଣା ଓ ଦକ୍ଷତା ବିକାଶ ଉପରେ ମଧ୍ୟ ଏହି ପ୍ରତିଷ୍ଠାନ ଗୁରୁତ୍ୱ ଦେବ।

ଓଡ଼ିଶାରେ ଆର୍‌ବିଆଇର ଏହି ଦ୍ୱିତୀୟ ଡାଟା ସେଣ୍ଟର ସ୍ଥାପନ ରାଜ୍ୟର ପ୍ରଯୁକ୍ତିଭିତ୍ତିକ ଭିତ୍ତିଭୂମିକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି। ଏହା ଡିଜିଟାଲ୍‌ ଆର୍ଥିକ ସେବାର ନିର୍ଭରଯୋଗ୍ୟତା ବଢ଼ାଇବା ସହ ସାଇବର ଆକ୍ରମଣରୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ତଥ୍ୟର ସୁରକ୍ଷା ପାଇଁ ଦେଶର କ୍ଷମତା ବୃଦ୍ଧିରେ ସହାୟକ ହେବ।