କୋଲକାତା: ଭାରତର ପ୍ରଖ୍ୟାତ ଚିତ୍ରଶିଳ୍ପୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଯୋଗେନ ଚୌଧୁରୀଙ୍କର ରବିବାର ସକାଳେ ପରଲୋକ ହୋଇଛି। କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ୧୪ ମାସ ଧରି ବିରଳ ପ୍ରକାରର ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ହସ୍ପିଟାଲର ବିବୃତି ଅନୁଯାୟୀ, ଅକ୍ଟୋବର ୧୬ରେ ଅସୁସ୍ଥତା କାରଣରୁ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେ ମାଇଲୋପ୍ରୋଲିଫେରେଟିଭ୍ ନିଓପ୍ଲାଜମ୍ ନାମକ ଏକ ବିରଳ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ ଏବଂ କେମୋଥେରାପି ଚାଲିଥିଲା। ଚିକିତ୍ସା ସମୟରେ ତାଙ୍କୁ ମୂତ୍ରନଳୀ ସଂକ୍ରମଣ ପାଇଁ ମଧ୍ୟ ଚିକିତ୍ସା କରାଯାଇଥିଲା। ରବିବାର ସକାଳ ୧୦ଟା ୧୫ ମିନିଟ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା।

୧୯୩୯ ମସିହାରେ ଅବିଭକ୍ତ ବଙ୍ଗର ଫରିଦପୁର ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ଯୋଗେନ ଚୌଧୁରୀ ବିଭାଜନ ପରେ କୋଲକାତାକୁ ଚାଲିଆସିଥିଲେ। ସେଠାରେ ସରକାରୀ କଳା ମହାବିଦ୍ୟାଳୟରେ ଚିତ୍ରକଳା ଶିକ୍ଷା ଗ୍ରହଣ କରିଥିଲେ। ପରେ ଫ୍ରାନ୍ସର ପ୍ୟାରିସ୍‌ରେ ଉଚ୍ଚତର କଳା ଶିକ୍ଷା ଗ୍ରହଣ କରି ସ୍ୱତନ୍ତ୍ର ଶୈଳୀରେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ।

ମାନବ ଶରୀରର ଗଠନ, ମୁହଁର ଭାବଭଙ୍ଗୀ ଓ ଜୀବନର ଜଟିଳ ଅନୁଭୂତିକୁ ନିଜ ଚିତ୍ରରେ ଜୀବନ୍ତ ଭାବେ ଫୁଟାଇବାରେ ସେ ବିଶେଷ ଦକ୍ଷତା ହାସଲ କରିଥିଲେ। ତାଙ୍କର ମୋଟା ଓ ସୂକ୍ଷ୍ମ ରେଖାର ବ୍ୟବହାର, ଅଭିବ୍ୟକ୍ତିପୂର୍ଣ୍ଣ ମାନବ ଆକୃତି ଏବଂ ଭାରତୀୟ ପରମ୍ପରା ସହ ଆଧୁନିକ ଶୈଳୀର ସମନ୍ୱୟ ତାଙ୍କୁ ଅନ୍ୟ ଚିତ୍ରଶିଳ୍ପୀଙ୍କଠାରୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା।

ଚିତ୍ରଶିଳ୍ପୀ ଭାବେ କାର୍ଯ୍ୟଜୀବନ ଆରମ୍ଭ କରିବା ପରେ ସେ ହାୱଡ଼ା ଜିଲ୍ଲା ସ୍କୁଲରେ କଳା ଶିକ୍ଷକ ଭାବେ କାମ କରିଥିଲେ। ପରେ ହ୍ୟାଣ୍ଡଲୁମ୍ ବୋର୍ଡରେ ଡିଜାଇନର୍ ଭାବେ କାର୍ଯ୍ୟ କରିବା ସହ ରାଷ୍ଟ୍ରପତି ଭବନର କଳା ଗ୍ୟାଲେରିରେ କ୍ୟୁରେଟର୍ ଦାୟିତ୍ୱ ତୁଲାଇଥିଲେ। ସେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର କଳା ଭବନ ସହ ମଧ୍ୟ ଜଡ଼ିତ ଥିଲେ।

ଚିତ୍ରକଳା ବ୍ୟତୀତ ସେ ସାର୍ବଜନୀନ ଜୀବନରେ ମଧ୍ୟ ସକ୍ରିୟ ଥିଲେ। ତୃଣମୂଳ କଂଗ୍ରେସ ପକ୍ଷରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ୨୦୧୪ରୁ ୨୦୨୦ ପର୍ଯ୍ୟନ୍ତ ସାଂସଦ ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ଦେହାନ୍ତରେ ପଶ୍ଚିମବଙ୍ଗର ରାଜନୈତିକ, ସାହିତ୍ୟିକ ଓ କଳା ଜଗତର ବହୁ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ତାଙ୍କର କଳାକୃତି ଆଧୁନିକ ଭାରତୀୟ ଚିତ୍ରକଳାରେ ଏକ ସ୍ୱତନ୍ତ୍ର ଅଧ୍ୟାୟ ଭାବେ ସ୍ମରଣୀୟ ହୋଇ ରହିବ।