ରିୟାଦ୍: ସାଉଦି ଆରବ ଏବଂ ୟେମେନର ହୁତି ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଚରମ ସୀମାରେ ପହଞ୍ଚିଛି। ହୁତି ବିଦ୍ରୋହୀଙ୍କ କ୍ଷେପଣାସ୍ତ୍ର ଆକ୍ରମଣ ପରେ ସାଉଦି ଆରବ ରାଜଧାନୀ ରିୟାଦ୍ସ୍ଥିତ ‘କିଙ୍ଗ୍ ଖାଲିଦ୍ ଆନ୍ତର୍ଜାତୀୟ ବିମାନବନ୍ଦର’କୁ ସାମୟିକ ଭାବେ ବନ୍ଦ କରାଯିବା ପରେ ଆଂଶିକ ଭାବେ ପୁନଃକାର୍ଯ୍ୟକ୍ଷମ କରାଯାଇଛି। ଅପରପକ୍ଷରେ, ହୁତି ଗୋଷ୍ଠୀ ଏହି ବିମାନବନ୍ଦରକୁ “ଅସୁରକ୍ଷିତ” ଘୋଷଣା କରିବା ସହ ଏୟାରଲାଇନ୍ସ ଓ ଯାତ୍ରୀମାନଙ୍କୁ ସାଉଦି ଆକାଶମାର୍ଗ ବ୍ୟବହାର ନକରିବାକୁ ଚେତାବନୀ ଦେଇଛି।
ହୁତି ସାମରିକ ପ୍ରବକ୍ତା ୟାହ୍ୟା ସାରିଆ ଦାବି କରିଛନ୍ତି ଯେ, ସେମାନେ ସାଉଦି ଆରବ ବିରୋଧରେ ୩ଟି ବଡ଼ ଆକ୍ରମଣ କରି ପ୍ରଚୁର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି।
ରିୟାଦ୍ର କିଙ୍ଗ୍ ଖାଲିଦ୍ ବିମାନବନ୍ଦର, ଖମିସ୍ ମୁଶାଇତ୍ସ୍ଥିତ ବାୟୁସେନା ଘାଟି ଏବଂ ଜାଜାନସ୍ଥିତ ସାଉଦି କୋଷ୍ଟଗାର୍ଡ ନୌସେନା ଘାଟିକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା।
ସାଉଦି ନେତୃତ୍ୱାଧୀନ ମେଣ୍ଟସେନା ସୂଚନା ଦେଇଛି ଯେ, ସେମାନେ ୧୨ଟି କ୍ଷେପଣାସ୍ତ୍ର ଏବଂ ୨ଟି ଡ୍ରୋନ୍କୁ ଆକାଶମାର୍ଗରେ ନଷ୍ଟ କରିଦେଇଛନ୍ତି। ତେବେ ଖସିପଡ଼ିଥିବା କ୍ଷେପଣାସ୍ତ୍ରର ଭଗ୍ନାବଶେଷ ପଡ଼ି ଜଣେ ସାଉଦି ନାଗରିକ ଓ ଜଣେ ଏସୀୟ ନାଗରିକ ଆହତ ହୋଇଛନ୍ତି।
ହୁତି ନିୟନ୍ତ୍ରିତ ସମ୍ବାଦ ସଂସ୍ଥା ‘ସବା’ ଅନୁଯାୟୀ, ଆଗାମୀ ଦିନରେ ସାଉଦି ଅରାମକୋ ର ତେଲ ପ୍ରକଳ୍ପଗୁଡ଼ିକୁ ଆକ୍ରମଣ କରାଯାଇପାରେ। ତେଣୁ ସେଠାରେ କାର୍ଯ୍ୟରତ ଶ୍ରମିକ ଓ ବେସାମରିକ ନାଗରିକଙ୍କୁ ତେଲ ପ୍ରକଳ୍ପ ନିକଟକୁ ନଯିବାକୁ ଏବଂ ଆରାମକୋ ସେୟାରହୋଲ୍ଡରଙ୍କୁ ସେୟାର ବିକ୍ରି କରିଦେବାକୁ ଚେତାବନୀ ଦିଆଯାଇଛି।
ସାଉଦି ଆରବ ପକ୍ଷରୁ ୟେମେନର ସାନା, ହଜା, ସାଦା ଓ ଇବ୍ ଭଳି ହୁତି ନିୟନ୍ତ୍ରିତ ଅଞ୍ଚଳରେ ୫୬ରୁ ଉର୍ଦ୍ଧ୍ୱ ବିମାନ ଆକ୍ରମଣ କରାଯାଇଥିବା ବେଳେ, ଏହାର ଜବାବରେ ହୁତି ଏହି ସାଂଘାତିକ ଆକ୍ରମଣ କରିଥିବା କହିଛି।
ଏହି ବିବାଦ ବୃଦ୍ଧି ପାଇବା ପରେ ଆରବ ଲିଗ୍ର ମହାସଚିବ ନବିଲ ଫାହମୀ ଏବଂ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ମଧ୍ୟରେ କାହିରାରେ ଆଲୋଚନା ହୋଇଛି। ଆରବ ଲିଗ୍ ସାଉଦି ଆରବର ସାର୍ବଭୌମତ୍ୱ ଓ ନିଜକୁ ସୁରକ୍ଷିତ ରଖିବାର ଅଧିକାରକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛି।




