ପୁରୀ: ପବିତ୍ର କାର୍ତ୍ତିକ ମାସର ପ୍ରାରମ୍ଭ ସହ ଶ୍ରୀକ୍ଷେତ୍ର ପୁରୀ ଆଧ୍ୟାତ୍ମିକ ପରିବେଶରେ ଉତ୍ସବମୁଖର ହୋଇଉଠିଛି। ଆଜିଠାରୁ ପୁରୀରେ ବ୍ରତଧାରୀ ହବିଷ୍ୟାଳୀମାନେ ନିଷ୍ଠାର ସହ ମାସବ୍ୟାପୀ କାର୍ତ୍ତିକ ବ୍ରତ ଆରମ୍ଭ କରୁଛନ୍ତି। ଶ୍ରୀକ୍ଷେତ୍ରର ସମସ୍ତ ମଠବାଡ଼ି ସମେତ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ହବିଷ୍ୟାଳୀ ଶିବିରଗୁଡ଼ିକରେ ଏବେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।
ଚଳିତ ବର୍ଷ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨,୫୦୦ ପଞ୍ଜୀକୃତ ହବିଷ୍ୟାଳୀଙ୍କ ପାଇଁ ସରକାରୀ ଶିବିରରେ ରହଣି ଓ ଅନ୍ୟାନ୍ୟ ସୁବିଧା କରାଯାଇଛି।
ନରେନ୍ଦ୍ରକୋଣସ୍ଥିତ ବୃନ୍ଦାବତୀ ନିବାସ, ରେଳ ବିଭାଗର ଟ୍ୟୁରିଷ୍ଟ ଯାତ୍ରୀ ରହଣି ସ୍ଥଳ ଏବଂ ମହାନଗର କଲ୍ୟାଣୀ ମଣ୍ଡପରେ ରହଣି ବ୍ୟବସ୍ଥା କରାଯାଇଛି। ଶିବିରରେ ପଞ୍ଜୀକୃତ ହବିଷ୍ୟାଳୀଙ୍କୁ ସ୍ଥାନିତ କରିବା ପରେ ସ୍ଥାନ ଖାଲି ରହିଲେ ଅଣ-ପଞ୍ଜୀକୃତ ମା’ମାନଙ୍କ ଥଇଥାନ କଥା ବିଚାର କରାଯିବ। ହବିଷ୍ୟାଳୀମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ, ମହାପ୍ରସାଦ ସେବନ, ଏକାଦଶୀରେ ଫଳ ବଣ୍ଟନ ଏବଂ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ନରେନ୍ଦ୍ର ପୁଷ୍କରଣୀ ଓ ବେଳାଭୂମିରେ ସୁରକ୍ଷା ସହ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।




