ନୂଆଦିଲ୍ଲୀ: ଦିଲ୍ଲୀର ରାଷ୍ଟ୍ରପତି ଭବନ ସମ୍ମୁଖରେ ଥିବା ପ୍ରମୁଖ ସରକାରୀ ପ୍ରଶାସନିକ କୋଠା ନର୍ଥ ବ୍ଲକରେ ସୋମବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀ ଅଗ୍ନିଶମ ସେବା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୧୧ଟା ୧୦ ମିନିଟ୍ ସମୟରେ ଅଗ୍ନିକାଣ୍ଡ ସମ୍ପର୍କରେ ଫୋନ୍‌ ମାଧ୍ୟମରେ ସୂଚନା ମିଳିଥିଲା। ଖବର ପାଇବା ମାତ୍ରେ ଘଟଣାସ୍ଥଳକୁ ତୁରନ୍ତ ୬ଟି ଦମକଳ ଗାଡ଼ି ପଠାଯାଇ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଛି।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ନର୍ଥ ବ୍ଲକ୍ କୋଠାରେ ଚାଲିଥିବା ସାମାନ୍ୟ ମରାମତି କାର୍ଯ୍ୟ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ତେବେ ଏହା ଏକ ଆଂଶିକ ଓ ଛୋଟ ଅଗ୍ନିକାଣ୍ଡ ଥିଲା ଏବଂ ସଠିକ୍ ସମୟରେ ଦମକଳବାହିନୀ ପହଞ୍ଚି ନିଆଁକୁ ଲିଭାଇ ଦେବାରେ ସଫଳ ହୋଇଥିଲେ। ନୂଆଦିଲ୍ଲୀର ରାଇସିନା ହିଲ୍‌ସ୍ଥିତ ସଚିବାଳୟ କୋଠାର ଅଂଶବିଶେଷ ନର୍ଥ ବ୍ଲକ୍ ହେଉଛି ଦେଶର ଅନ୍ୟତମ ଐତିହାସିକ ଓ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କେନ୍ଦ୍ର।

ଶିବସେନା ରାଜ୍ୟସଭା ସାଂସଦ ମିଲିନ୍ଦ ଦେଓରା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X)ରେ ଏହି ଅଗ୍ନିକାଣ୍ଡର ଏକ ଫଟୋ ସେୟାର କରିଥିଲେ। ସେ ପୋଷ୍ଟ କରି ଲେଖିଛନ୍ତି, “ସଂସଦକୁ ଯିବା ବାଟରେ ମୁଁ ନର୍ଥ ବ୍ଲକ୍‌ରୁ ଧୂଆଁ ଉଠୁଥିବାର ଦେଖିଲି। ଲାଗୁଛି ସେଠାରେ ନିଆଁ ଲାଗିଛି। ମୁଁ ଆଶା କରୁଛି ସମସ୍ତେ ସୁରକ୍ଷିତ ଥିବେ।”

ସମୟସାପେକ୍ଷ କାର୍ଯ୍ୟାନୁଷ୍ଠାନ ଯୋଗୁଁ କୌଣସି ବଡ଼ ଧରଣର କ୍ଷତି ହୋଇନଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।