ମାଲକାନଗିରି: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ସତର୍କ ହୋଇଉଠିଛି। ବିଶେଷକରି ମୋଟୁ, କାଲିମେଳା ଓ ପଡ଼ିଆ ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ, ଯୋଗାଯୋଗ ବିଚ୍ଛିନ୍ନତା ଓ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।
ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ନିର୍ଦ୍ଦେଶରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା, ଆଶ୍ରୟସ୍ଥଳୀର ପ୍ରସ୍ତୁତି, ସ୍ୱାସ୍ଥ୍ୟସେବା ଏବଂ ଅତ୍ୟାବଶ୍ୟକ ସେବାର ସ୍ଥିତି ସମୀକ୍ଷା କରାଯାଇଥିଲା।
ମୁତୟନ ହେବେ NDRF ଓ ODRAF ଟିମ୍
ବିପର୍ଯ୍ୟୟର ମୁକାବିଲା ପାଇଁ ୩୦ ଜଣିଆ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF) ଟିମ୍କୁ କାଲିମେଳାରେ ମୁତୟନ କରିବାର ଯୋଜନା ରହିଛି। ସେହିପରି ୩୬ ଜଣିଆ ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟବାହିନୀ (ODRAF) ଟିମ୍ ମାଥିଲିରେ ପହଞ୍ଚି ସଜାଗ ରହିଛି। ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ମଧ୍ୟ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରଖାଯାଇଛି।
ତହସିଲଦାର ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ସତର୍କ ରହିବା ସହ ତଳିଆ ଅଞ୍ଚଳ ଏବଂ ଦୁର୍ବଳ ଘରେ ରହୁଥିବା ଲୋକଙ୍କୁ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ଚାରିଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ସହ ଅନ୍ୟ ଚିହ୍ନଟ ଆଶ୍ରୟସ୍ଥଳୀଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।
୨୯ ଅକ୍ଟୋବର ପର୍ଯ୍ୟନ୍ତ ସ୍କୁଲ୍, କଲେଜ ବନ୍ଦ
ପାଣିପାଗ ବିଭାଗର ପୂର୍ବାନୁମାନ ଓ ଜନସୁରକ୍ଷାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାର ସମସ୍ତ ସ୍କୁଲ୍, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଅକ୍ଟୋବର ୨୯ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସତୀଗୁଡ଼ାଠାରେ ଚାଲିଥିବା କ୍ରୀଡ଼ା କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥଗିତ ରଖାଯାଇଛି।
ସ୍ୱାସ୍ଥ୍ୟ ବିଭାଗକୁ ବିପଦପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରିବା ଏବଂ ପ୍ରସବ ସମୟ ପାଖେଇ ଆସିଥିବା ମହିଳାଙ୍କୁ ଆଗୁଆ ହସ୍ପିଟାଲ୍ କିମ୍ବା ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ହସ୍ପିଟାଲ୍ଗୁଡ଼ିକରେ ଜରୁରୀ ଔଷଧ, ମୋବାଇଲ୍ ମେଡିକାଲ୍ ଟିମ୍ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।




