ଖଣ୍ଡଗିରି: ମନ୍ଦିରର ମାଲିକାନା ଓ ପରିଚାଳନାକୁ ନେଇ ଖୋର୍ଦ୍ଧା ଜିଲ୍ଲାର ବଡ଼ରଘୁନାଥପୁର ଓ ମଦନପୁର ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଇନ୍‌ଫୋଭ୍ୟାଲି ଥାନା ଅଧୀନ ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିରକୁ କେନ୍ଦ୍ର କରି ଘଟିଥିବା ଏହି ଗଣ୍ଡଗୋଳରେ ଉଭୟ ପକ୍ଷର ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଘଟଣା ପରେ ଉଭୟ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବଡ଼ରଘୁନାଥପୁର ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ପୂଜାର୍ଚ୍ଚନା ବେଳେ ଆରମ୍ଭ ହେଲା ବିବାଦ

ସୂଚନା ଅନୁଯାୟୀ, ନୀଳକଣ୍ଠେଶ୍ୱର ମନ୍ଦିରର ମାଲିକାନା ଓ ପରିଚାଳନାକୁ ନେଇ ଦୁଇ ଗାଁ ମଧ୍ୟରେ ଦୀର୍ଘବର୍ଷ ଧରି ବିବାଦ ରହିଛି। କାର୍ତ୍ତିକ ମାସର ପ୍ରଥମ ସୋମବାରରେ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବାବେଳେ ଉଭୟ ଗାଁର ଲୋକେ ନିଜ ନିଜ ଦାବିକୁ ନେଇ ମୁହାଁମୁହିଁ ହୋଇଥିଲେ।

ମଧ୍ୟାହ୍ନରେ ନୀଳକଣ୍ଠେଶ୍ୱର ମହାଦେବଙ୍କ ଚଳନ୍ତି ବିଗ୍ରହକୁ ପୂଜକ ମନ୍ଦିର ପରିସରରେ ପରିକ୍ରମା କରାଉଥିବା ସମୟରେ ମଦନପୁର ଗାଁର କିଛି ଯୁବକ ବଡ଼ରଘୁନାଥପୁର ଗ୍ରାମବାସୀଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କଥା କଟାକଟି ହେବା ପରେ ପରିସ୍ଥିତି ଉଗ୍ରରୂପ ନେଇଥିଲା।

ପଥରମାଡ଼ ଓ ଠେଙ୍ଗାରେ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା

ଉଭୟ ପକ୍ଷ ନିଜ ନିଜ ସମର୍ଥକଙ୍କୁ ଡାକିବା ପରେ ମନ୍ଦିର ପରିସରରେ ହିଂସାକାଣ୍ଡ ଘଟିଥିଲା। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ପଥର ଫୋପାଡ଼ିବା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ ବଡ଼ରଘୁନାଥପୁର ଗାଁର ପ୍ରାୟ ୧୪ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସଂଘର୍ଷ ସମୟରେ ୫ରୁ ଅଧିକ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଖବର ପାଇ ଇନ୍‌ଫୋଭ୍ୟାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ ପଠାଇଥିଲା। ଜୋନ୍‌-୩ ଏସିପି ପ୍ରଶାନ୍ତ କୁମାର ସାହୁଙ୍କ ସମେତ ଇନ୍‌ଫୋଭ୍ୟାଲି, ତମାଣ୍ଡୋ ଓ ଖଣ୍ଡଗିରି ଥାନାର ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅତିରିକ୍ତ ପୁଲିସ ଫୋର୍ସ ମୁତୟନ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା

ଘଟଣା ପରେ ପୁଲିସ ଉଭୟ ଗାଁର ମୁରବିମାନଙ୍କୁ ଥାନାକୁ ଡାକି ଆଲୋଚନା କରିଛି। ମନ୍ଦିର ମାଲିକାନାକୁ ନେଇ ଦୀର୍ଘଦିନର ବିବାଦର ସମାଧାନ ଏବଂ ଆଗକୁ ଯେପରି ହିଂସା ନଘଟେ, ସେଥିପାଇଁ ପୁଲିସ ପଦକ୍ଷେପ ନେଉଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ନଜର ରଖିଛି।