ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ଓଡ଼ିଶାରେ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁରକ୍ଷିତ ରଖିବା ଏବଂ କ୍ଷତି ହେଲେ ଯଥାଶୀଘ୍ର ବିଦ୍ୟୁତ୍ ସେବା ପୁନରୁଦ୍ଧାର କରିବା ଲାଗି ପ୍ରସ୍ତୁତି ଜୋରଦାର କରାଯାଇଛି। ଏଥିପାଇଁ ୧୩୨ କେଭି, ୨୨୦ କେଭି ଓ ୪୦୦ କେଭି ବିଦ୍ୟୁତ୍ ଲାଇନ୍ରେ ବ୍ୟବହାର ହେଉଥିବା ୮୩ ସେଟ୍ ଜରୁରୀକାଳୀନ ଟାୱାର ସହ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି।
ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୋମବାର ଶକ୍ତି ବିଭାଗର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଅକ୍ଟୋବର ୨୬ରୁ ୨୯ ମଧ୍ୟରେ ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା, ବିଦ୍ୟୁତ୍ ବିଭ୍ରାଟ କମାଇବା ଓ ଜରୁରୀ ସେବାକୁ ସୁରକ୍ଷିତ ରଖିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସ୍ଥିତିର ତଦାରଖ ପାଇଁ ସେ କୋରାପୁଟରେ ରହି ଦକ୍ଷିଣ ଓଡ଼ିଶାରେ ଜରୁରୀକାଳୀନ କାର୍ଯ୍ୟର ସମନ୍ୱୟ କରିବେ।
ବିଦ୍ୟୁତ୍ ଯୋଗାଣ ଓ ପୁନରୁଦ୍ଧାର କାର୍ଯ୍ୟକୁ ସମନ୍ୱିତ କରିବା ପାଇଁ ଓଡ଼ିଶା ପାୱାର ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଟିସିଏଲ୍) ପକ୍ଷରୁ ବହୁସ୍ତରୀୟ ନିୟନ୍ତ୍ରଣ ବ୍ୟବସ୍ଥା ସକ୍ରିୟ କରାଯାଇଛି। ଚନ୍ଦକାସ୍ଥିତ ଷ୍ଟେଟ୍ ଟ୍ରାନ୍ସମିସନ୍ ଆସେଟ୍ ମ୍ୟାନେଜମେଣ୍ଟ ସେଣ୍ଟରରେ ୨୪ ଘଣ୍ଟିଆ କେନ୍ଦ୍ରୀୟ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଥିବା ବେଳେ ନରେନ୍ଦ୍ରପୁରରୁ ଆଞ୍ଚଳିକ କାର୍ଯ୍ୟର ତଦାରଖ କରାଯିବ। ଏହା ସହ ୧୧ଟି ସ୍ଥାନରେ କ୍ଷେତ୍ରୀୟ ନିୟନ୍ତ୍ରଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି।
ଜରୁରୀକାଳୀନ ମରାମତି ପାଇଁ ୧,୧୧୫ କିଲୋମିଟର କଣ୍ଡକ୍ଟର ଓ ୯,୧୫୭ ସେଟ୍ ହାର୍ଡୱେର୍ ଫିଟିଂ ମଧ୍ୟ ମହଜୁଦ ରଖାଯାଇଛି। ପାଣିପାଗ ପରିସ୍ଥିତି ଅନୁକୂଳ ହେବା ପରେ ନଷ୍ଟ ହୋଇଥିବା ବିଦ୍ୟୁତ୍ ଭିତ୍ତିଭୂମିର ମରାମତି ଓ ବିଦ୍ୟୁତ୍ ଯୋଗାଣ ପୁନରୁଦ୍ଧାର କରାଯିବ। ଏହି ସମୟରେ ହସ୍ପିଟାଲ୍, ସ୍କୁଲ୍ ଓ ବାତ୍ୟା ଆଶ୍ରୟସ୍ଥଳୀ ଭଳି ଜରୁରୀ ସେବାକୁ ପ୍ରାଥମିକତା ଦିଆଯିବ।
ବିଦ୍ୟୁତ୍ ସେବା କେବେ ସ୍ୱାଭାବିକ ହେବ, ସେ ସମ୍ପର୍କରେ ଗ୍ରାହକଙ୍କୁ ସ୍ୱୟଂଚାଳିତ ଏସ୍ଏମ୍ଏସ୍ ମାଧ୍ୟମରେ ସୂଚନା ଦେବାର ବ୍ୟବସ୍ଥା ହୋଇଛି। ଦକ୍ଷିଣ ଓଡ଼ିଶାରେ ଟାଟା ପାୱାର ସାଉଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)ର ଜରୁରୀକାଳୀନ ନିୟନ୍ତ୍ରଣ କେନ୍ଦ୍ର ବ୍ରହ୍ମପୁରର ଅମ୍ବାଗଡ଼ାଠାରେ କାର୍ଯ୍ୟ କରିବ।
ବିଦ୍ୟୁତ୍ ସମସ୍ୟା ସମ୍ପର୍କରେ ଗ୍ରାହକମାନେ ୯୧୨୪୨୯୩୩୧୪ ନମ୍ବରରେ ଯୋଗାଯୋଗ କରିପାରିବେ। ଏହା ସହ ଟୋଲ୍ ଫ୍ରି ନମ୍ବର ୧୯୧୨ ଓ ୧୮୦୦୨୦୨୬ରେ ମଧ୍ୟ ସହାୟତା ମିଳିପାରିବ।




