ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଗୋଟିଏ ଦିନ ପୂର୍ବରୁ ସାମୁଦ୍ରିକ ବାତ୍ୟା ‘ଅରନବ’ ନିଜର ଆସୁରୀ ପ୍ରକୋପ ଦେଖାଇବା ଆରମ୍ଭ କରିଦେଇଛି। ‘ଅତି ଭୟଙ୍କର’ ବାତ୍ୟା ସମୁଦ୍ର ମଧ୍ୟରେ ଅଗ୍ରସର ହେଉଥିବା ବେଳେ ମଙ୍ଗଳବାର ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଭାଗରେ ପ୍ରବଳ ବର୍ଷା, ଝଡ଼ପବନ ଏବଂ ଘନ ଘନ ବଜ୍ରପାତ ଦେଖିବାକୁ ମିଳିଛି।
ରାଜଧାନୀର ଲିଙ୍ଗରାଜ, ପଟିଆ, ତମାଣ୍ଡୋ, ନନ୍ଦନକାନନ ଏବଂ ପାହାଳ ଅଞ୍ଚଳ ସମେତ ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛାନ୍ନ ରହିବା ସହ ପ୍ରବଳ ବର୍ଷା ଜାରି ରହିଛି।
ପାଣିପାଗ ବିଭାଗ ର ସୂଚନା ଅନୁଯାୟୀ, ବାତ୍ୟା ‘ଅରନବ’ ଓଡ଼ିଶାରେ ସିଧାସଳଖ ସ୍ଥଳଭାଗ ଛୁଇଁବ ନାହିଁ। ତଥାପି ଏହାର ପ୍ରଭାବରେ ଆସନ୍ତା ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିବ।
କ୍ରମାଗତ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର କେତେକ ପାହାଡ଼ିଆ ଜିଲ୍ଲାରେ ଭୂସ୍ଖଳନ ଆଶଙ୍କା ଦେଖାଦେଇଛି। ଏହାସହ ଋଷିକୂଲ୍ୟା ଏବଂ ଦକ୍ଷିଣ ଓଡ଼ିଶାର ଅନ୍ୟାନ୍ୟ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଗଞ୍ଜାମରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଉପକୂଳ ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।
ପାଣିପାଗ ନିରୀକ୍ଷଣ ଅନୁଯାୟୀ, ବାତ୍ୟା ‘ଅରନବ’ ଆସନ୍ତା ଅକ୍ଟୋବର ୨୮ (ବୁଧବାର) ପୂର୍ବାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ବାପଟ୍ଟଲା ଏବଂ ବିଶାଖାପାଟଣା (ୟାନାମ ନିକଟ) ମଧ୍ୟରେ ‘ଅତି ଭୟଙ୍କର ବାତ୍ୟା’ ଭାବେ ସ୍ଥଳଭାଗ ଅତିକ୍ରମ କରିବ।
ସୁରକ୍ଷା ଦୃଷ୍ଟିରୁ ଚିଲିକା ଏବଂ ଅନ୍ୟାନ୍ୟ ଜଳାଶୟଗୁଡ଼ିକରେ ପର୍ଯ୍ୟଟକ ବୋଟ୍ ଚଳାଚଳକୁ ୩ ଦିନ ପାଇଁ ବନ୍ଦ ରଖାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମୁଦ୍ର କୂଳିଆ ଏବଂ ତଳିଆ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।




