ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆ ଗ୍ରାମପୁଞ୍ଜ ବିବାଦକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠିର କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ଦିନଠାରୁ କୋଟିଆ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଏବଂ ରାଜ୍ୟର ଭୌଗୋଳିକ ଅଖଣ୍ଡତା ତଥା ନାଗରିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ନବୀନ ପଟ୍ଟନାୟକଙ୍କ ଗତ ଅକ୍ଟୋବର ୧୯ ତାରିଖର ଚିଠିର ପ୍ରତ୍ୟୁତ୍ତରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଏହି ସମ୍ବେଦନଶୀଳ ଆନ୍ତଃରାଜ୍ୟ ବିବାଦର ଆଇନଗତ ଓ ଗଠନମୂଳକ ସମାଧାନ ବାହାର କରିବା ପରିବର୍ତ୍ତେ, ବିରୋଧୀ ଦଳ ନେତାଙ୍କ ଚିଠିରେ ରାଜନୈତିକ ଦୃଷ୍ଟିକୋଣ ଅଧିକ ପ୍ରତିଫଳିତ ହେଉଥିବା ପରିଲକ୍ଷିତ ହେଉଛି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦର୍ଶାଇଛନ୍ତି ଯେ, ଓଡ଼ିଶା ସରକାର ସଦାସର୍ବଦା ଆଇନଗତ ଓ ସାମ୍ବିଧାନିକ ମାର୍ଗରେ ରାଜ୍ୟର ସୀମା ସୁରକ୍ଷା ପାଇଁ କାର୍ଯ୍ୟ କରିଆସୁଛନ୍ତି। ଏହାସହ କୋଟିଆ ଓ ଆଖପାଖ ଅଞ୍ଚଳର ସମନ୍ୱିତ ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ବିଶେଷ କମିଟି ଗଠନ କରାଯାଇଛି, ଯାହା କୋଟିଆ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟର ତଦାରଖ କରୁଛି।
ବିଭିନ୍ନ ମନ୍ତ୍ରୀ ଓ ବରିଷ୍ଠ ଆଡମିନିଷ୍ଟ୍ରେଟରମାନେ ନିୟମିତ କୋଟିଆ ଗସ୍ତ କରି ସ୍ଥାନୀୟ ଲୋକଙ୍କ ସେବା ଓ ମୌଳିକ ଆବଶ୍ୟକତା ସମୀକ୍ଷା କରୁଛନ୍ତି।
ସୀମା ବିବାଦ ଭଳି ସମ୍ବେଦନଶୀଳ ମାମଲାରେ ସମସ୍ତ ପକ୍ଷ ସଂଯମତା, ଦାୟିତ୍ୱବାନ ମନୋଭାବ ଏବଂ ଅଦାଲତଙ୍କ ବିଚାରପ୍ରକ୍ରିୟା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାର ସମସ୍ତ ଆଇନଗତ ଓ ସାମ୍ବିଧାନିକ ମଞ୍ଚରେ ରାଜ୍ୟର ପକ୍ଷ ଦୃଢ଼ ଭାବେ ରଖିବେ।
ଏହି ବହୁବର୍ଷର ସୀମା ବିବାଦର ସ୍ଥାୟୀ ଓ ନିରପେକ୍ଷ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କଠାରୁ ଗଠନମୂଳକ ଓ ସାରଗର୍ଭକ ପ୍ରସ୍ତାବ ଆହ୍ୱାନ କରିଛନ୍ତି, ଯାହାକୁ ସରକାର ଗୁରୁତ୍ୱର ସହ ବିଚାର କରିବେ।




