ନୂଆଦିଲ୍ଲୀ: ମତଦାତା ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଓ ନିର୍ବାଚନ କମିଶନଙ୍କ କାର୍ଯ୍ୟପ୍ରଣାଳୀକୁ ନେଇ ଦାଖଲ ହୋଇଥିବା ଆବେଦନଗୁଡ଼ିକରେ ଆବେଦନକାରୀଙ୍କୁ ୧୦ ଦିନ ମଧ୍ୟରେ ପ୍ରତିଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ସମୟ ଦେଇଛନ୍ତି। ଭାରତୀୟ ନିର୍ବାଚନ କମିଶନ (ECI) ନିଜର କାର୍ଯ୍ୟକୁ ସମର୍ଥନ କରି ଦାଖଲ କରିଥିବା ଜବାବୀ ସତ୍ୟପାଠର ଉତ୍ତରରେ ଆବେଦନକାରୀମାନେ ନିଜ ପକ୍ଷ ରଖିପାରିବେ। ମଙ୍ଗଳବାର ଶୁଣାଣି ପରେ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୭କୁ ଧାର୍ଯ୍ୟ କରାଯାଇଛି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ନିର୍ବାଚନ କମିଶନ ସୋମବାର ଦାଖଲ କରିଥିବା ୨୪୮ ପୃଷ୍ଠାର ସତ୍ୟପାଠରେ SIR ପ୍ରକ୍ରିୟାକୁ ଆଇନସମ୍ମତ ବୋଲି ଦର୍ଶାଇବା ସହ କମିଶନଙ୍କ ସମସ୍ତ ତିନି ସଦସ୍ୟଙ୍କ ସହମତିରେ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କ ସହମତି ବିନା କିଛି ନିଷ୍ପତ୍ତି ନେଇଥିବା ଅଭିଯୋଗକୁ ନିର୍ବାଚନ କମିଶନ ଖଣ୍ଡନ କରିଛନ୍ତି। ଏହା ସହ ନୂଆ ଭୋଟରଙ୍କ ପଞ୍ଜୀକରଣ ପାଇଁ ବ୍ୟବହୃତ ଫର୍ମ-୬ରେ କୌଣସି ପରିବର୍ତ୍ତନ କରାଯାଇନଥିବା ମଧ୍ୟ ସତ୍ୟପାଠରେ କୁହାଯାଇଛି। କମିଶନଙ୍କ ମତରେ, SIR ସମ୍ବନ୍ଧୀୟ ଘୋଷଣାପତ୍ରକୁ ଅନଲାଇନ୍‌ ଫର୍ମ ସହ ଯୋଡ଼ାଯାଇଥିଲା, କିନ୍ତୁ ତାହା ଫର୍ମ-୬ରେ ସଂଶୋଧନ ନୁହେଁ।

ଅନ୍ୟପକ୍ଷରେ, ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଛି ଯେ ନିର୍ବାଚନ କମିଶନଙ୍କ ଆଭ୍ୟନ୍ତରୀଣ ନିଷ୍ପତ୍ତି ପ୍ରକ୍ରିୟା ଓ SIR ସମ୍ବନ୍ଧୀୟ ଆଦେଶଗୁଡ଼ିକରେ ଅନ୍ୟ ଦୁଇ କମିଶନରଙ୍କ ମତାମତକୁ ନେଇ ପ୍ରଶ୍ନ ରହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଇଣ୍ଡିଆ ମେଣ୍ଟର ଅନ୍ୟ ନେତାମାନଙ୍କ ପକ୍ଷରୁ ମଧ୍ୟ ଏହି ପ୍ରସଙ୍ଗରେ ଆବେଦନ କରାଯାଇଛି। ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ ଆଭ୍ୟନ୍ତରୀଣ ଫାଇଲ୍‌ ନୋଟିଂ ଓ ଯୋଗାଯୋଗର ରେକର୍ଡ ସୁରକ୍ଷିତ ରଖିବାକୁ ଅନୁରୋଧ କରିଥିଲେ।

ଏହି ମାମଲାରେ କୋର୍ଟ ନିର୍ବାଚନ କମିଶନଙ୍କ ଜବାବ ଓ ଆବେଦନକାରୀଙ୍କ ପ୍ରତିଜବାବକୁ ବିଚାରକୁ ନେବେ। ତେବେ ଏଯାଏଁ SIR ପ୍ରକ୍ରିୟା କିମ୍ବା ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ନେଇ ଶେଷ ରାୟ ଆସିନାହିଁ।