କେନ୍ଦ୍ରାପଡ଼ା: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବଙ୍ଗୋପସାଗର ଅଶାନ୍ତ ହୋଇପଡ଼ିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ପେଣ୍ଠ ନିକଟରେ ସମୁଦ୍ର ଜୁଆର ମାଡ଼ରେ ପ୍ରାୟ ୨୦୦ ଫୁଟ ଲୁଣା ଘେରିବନ୍ଧ ଧସିଯାଇଛି। ସମୁଦ୍ରର ଜଳ ଓ ଜୁଆରରୁ ଉପକୂଳ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ଏହି ଘେରିବନ୍ଧ ନିର୍ମାଣ କରାଯାଇଥିଲା। ଏତେ ଲମ୍ବର ବନ୍ଧ ଧସିଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି।
ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଜିଲ୍ଲାପାଳ ସୋମବାର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। ପେଣ୍ଠ ବାତ୍ୟା ଆଶ୍ରୟସ୍ଥଳର ଅବ୍ୟବସ୍ଥା ସମ୍ପର୍କରେ ଖବର ପ୍ରକାଶ ପରେ ରାଜସ୍ୱ ମନ୍ତ୍ରୀ ଏହାର ସୁଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ରାଜନଗର ବିଡିଓ ଅଶୋକ କୁମାର ମହାନ୍ତି ଓ ତହସିଲଦାର ଯୀଶୁକ୍ରୀଷ୍ଣ ଦାସ ବଗପାଟିଆ, ପେଣ୍ଠ ସମେତ ଅନ୍ୟ ଆଶ୍ରୟସ୍ଥଳଗୁଡ଼ିକର ସ୍ଥିତି ଯାଞ୍ଚ କରିଥିଲେ।
ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପ୍ରସବ ତାରିଖ ଅକ୍ଟୋବର ୨୫ରୁ ନଭେମ୍ବର ୫ ମଧ୍ୟରେ ଥିବା ୧୩ ଜଣ ଗର୍ଭବତୀଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ପ୍ରସବ ହୋଇସାରିଥିବା ବେଳେ ୩ ଜଣଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଶ୍ମୀ ରଞ୍ଜନ ମହାନ୍ତି ଏହି ସୂଚନା ଦେଇଛନ୍ତି।
ସେହିପରି, ରାଜନଗର ଅଞ୍ଚଳର ୧,୧୭୧ଟି ଡଙ୍ଗା ଓ ୪୦ଟି ଟ୍ରଲର ସମୁଦ୍ରରୁ ସୁରକ୍ଷିତ ଭାବେ କୂଳକୁ ଫେରିଆସିଛି। ବିଭିନ୍ନ ମତ୍ସ୍ୟ ଅବତରଣ କେନ୍ଦ୍ରରୁ ସମୁଦ୍ରକୁ ଯାଇଥିବା ଡଙ୍ଗାଗୁଡ଼ିକ ଫେରିଥିବା ନେଇ ସାମୁଦ୍ରିକ ମତ୍ସ୍ୟ ବିଭାଗ ସୂଚନା ଦେଇଛି। ଏହା ସହ ବାବୁବାଲି, ହବାଳିଖଟି ଓ ଏକକୂଳା ଅଞ୍ଚଳରୁ ବନ କର୍ମଚାରୀଙ୍କୁ ଫେରାଇ ଅଣାଯାଇଛି।
ବାତ୍ୟାର ଗତିପଥ ଓ ପ୍ରଭାବ ଉପରେ ପ୍ରଶାସନ ନଜର ରଖିଛି। ଉପକୂଳ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ସରକାରୀ ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି।




