ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓ ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଓଡ଼ିଶାର ରାଜ୍ୟପାଳ ବ୍ରଜ ମୋହନ ରାମ। ବୁଧବାର ଲୋକଭବନରେ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ସହ ଆଲୋଚନା ସମୟରେ ସେ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ସହ ଫସଲ ଓ ସମ୍ପତ୍ତିର କ୍ଷୟକ୍ଷତିକୁ ସର୍ବନିମ୍ନ ସ୍ତରରେ ରଖିବା ଉପରେ ଜୋର୍ ଦେଇଛନ୍ତି।
ବାତ୍ୟାର ସ୍ଥିତି ଓ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ଗଜପତି, ମାଲକାନଗିରି ଓ ରାୟଗଡ଼ା ସମେତ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେଉଥିବା ସେ ସୂଚନା ଦେଇଥିଲେ। ବାତ୍ୟା ସିଧାସଳଖ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିନଥିଲେ ମଧ୍ୟ ଏହାର ପ୍ରଭାବରେ ହେଉଥିବା ବର୍ଷାକୁ ନେଇ ପ୍ରଶାସନ ସତର୍କ ରହିଛି।
ବିପଦପ୍ରବଣ ଅଞ୍ଚଳର ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଜରୁରୀ ପରିସ୍ଥିତିର ମୁକାବିଲା ଲାଗି ଉଦ୍ଧାରକାରୀ ଦଳଗୁଡ଼ିକୁ ସଜାଗ ରଖାଯାଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ରାସ୍ତା ଉପରେ ପଡ଼ିଥିବା ଗଛ ହଟାଇବା ଏବଂ ଯାତାୟାତ ସ୍ୱାଭାବିକ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି।
ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ପ୍ରସ୍ତୁତି ଓ ଅଭିଜ୍ଞତା ସମ୍ପର୍କରେ ମଧ୍ୟ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା। ସମସ୍ତ ସମ୍ପୃକ୍ତ ବିଭାଗ ଓ ଉଦ୍ଧାରକାରୀ ସଂସ୍ଥା ମଧ୍ୟରେ ନିରନ୍ତର ସମନ୍ୱୟ ରଖିବା ସହ ସତର୍କତା ଜାରି ରଖିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।
ବାତ୍ୟା ପରବର୍ତ୍ତୀ ସ୍ଥିତିରେ ଲୋକଙ୍କ ସୁରକ୍ଷା ସହ ଚାଷୀଙ୍କ ଫସଲ ଓ ଜୀବିକାର ସୁରକ୍ଷା ମଧ୍ୟ ପ୍ରଶାସନର ପ୍ରାଥମିକତା ରହିବ। ବର୍ଷା ଓ ପବନ ଯୋଗୁଁ ସମ୍ଭାବ୍ୟ କ୍ଷୟକ୍ଷତି ଉପରେ ନଜର ରଖି ଆବଶ୍ୟକ ସ୍ଥଳେ ତ୍ୱରିତ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଛି।




