ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସୁରକ୍ଷା ଓ ଉଦ୍ଧାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ବୁଧବାର ସୁଦ୍ଧା ରାଜ୍ୟରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ବିପଦପ୍ରବଣ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବାତ୍ୟା ମୁକାବିଲାରେ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ରହିଛି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବାତ୍ୟା ପ୍ରଭାବିତ ହେବାର ଆଶଙ୍କା ଥିବା ଜିଲ୍ଲାଗୁଡ଼ିକରେ ୪,୦୭୨ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୨,୦୦୦ ଜଣଙ୍କୁ ସୁରକ୍ଷା ଦୃଷ୍ଟିରୁ ହସ୍ପିଟାଲ ଓ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ଏହି ମହିଳାମାନଙ୍କ ମଧ୍ୟରୁ କେତେକ ସୁରକ୍ଷିତ ଭାବେ ସନ୍ତାନ ପ୍ରସବ କରିଥିବା ମଧ୍ୟ ସେ କହିଛନ୍ତି।

କୂଳକୁ ଫେରିଲା ୧୯ ହଜାରରୁ ଅଧିକ ଡଙ୍ଗା

ସମୁଦ୍ରରେ ମାଛଧରାଳିଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି। ମୋଟ ୧୯,୧୪୩ଟି ମାଛଧରା ଡଙ୍ଗା ସୁରକ୍ଷିତ ଭାବେ କୂଳକୁ ଫେରିଆସିଛି। ଏଥିରେ ୧୧,୯୫୫ଟି ସାମୁଦ୍ରିକ ମାଛଧରା ଡଙ୍ଗା ଓ ଚିଲିକା ହ୍ରଦରେ ଚାଲୁଥିବା ୭,୧୮୮ଟି ଡଙ୍ଗା ସାମିଲ ଅଛି।

ବାତ୍ୟାର ସ୍ଥିତି ଓ ପ୍ରଶାସନିକ ପ୍ରସ୍ତୁତି ସମୀକ୍ଷା କରିବାକୁ ମନ୍ତ୍ରୀ ମଙ୍ଗଳବାର ରାତିରେ ଦକ୍ଷିଣ ଓଡ଼ିଶାର ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ବିଭିନ୍ନ ଜିଲ୍ଲାର ଦାୟିତ୍ୱରେ ଥିବା ମନ୍ତ୍ରୀମାନେ ମଧ୍ୟ ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ କଥା ହେବା ସହ ରିଲିଫ୍‌ ଓ ଉଦ୍ଧାର ପ୍ରସ୍ତୁତିର ତଦାରଖ କରୁଛନ୍ତି।

ଅକ୍ଟୋବର ୩୦ ପର୍ଯ୍ୟନ୍ତ ସତର୍କ ରହିବ ପ୍ରଶାସନ

ବାତ୍ୟାର ପ୍ରଭାବ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଜାରି ରହିବାର ଆଶଙ୍କା ଥିବାରୁ ରାଜ୍ୟ ଓ ଜିଲ୍ଲାସ୍ତରରେ ପ୍ରଶାସନକୁ ସତର୍କ ରଖାଯାଇଛି। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନିର ଖବର ମିଳିନାହିଁ। ତେବେ ପାଣିପାଗର ପରିବର୍ତ୍ତନ ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି। ସରକାରଙ୍କ ଲକ୍ଷ୍ୟ ହେଉଛି, ବାତ୍ୟାର ମୁକାବିଲା ସମୟରେ ଯେପରି କୌଣସି ଜୀବନହାନି ନହୁଏ ଏବଂ ସମ୍ଭାବ୍ୟ କ୍ଷୟକ୍ଷତିକୁ ଯଥାସମ୍ଭବ କମାଯାଇପାରିବ।