ଛତ୍ରପୁର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୋଇଥିବା କ୍ରମାଗତ ଅତି ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଗୁରୁତର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଧ୍ରପ୍ରଦେଶ-ୟାନାମ୍ ଉପକୂଳରେ ୧୨୫ରୁ ୧୩୫ କିମି ବେଗରେ ସ୍ଥଳଭାଗ ଅତିକ୍ରମ କରିବା ପରେ ବାତ୍ୟାଟି ଛତିଶଗଡ଼ ଆଡ଼କୁ ଅଗ୍ରସର ହୋଇ ଦୁର୍ବଳ ହୋଇଥିଲେ ସୁଦ୍ଧା, ଦକ୍ଷିଣ ଓଡ଼ିଶାରେ ଅବିଶ୍ରାନ୍ତ ବର୍ଷା ଜାରି ରହିଛି।

ପୁରୁଷୋତ୍ତମପୁରଠାରେ ଋଷିକୂଲ୍ୟା ନଦୀ ବିପଦସଙ୍କେତ ଡେଇଁ ପ୍ରବାହିତ ହେଉଛି। ଏଠାରେ ବିପଦସଙ୍କେତ ୧୬.୮୩୫ ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୭.୫୦୦ ମିଟରରେ ପହଞ୍ଚିଛି। ଫଳରେ ଟଙ୍କଛାଇରୁ ହିଞ୍ଜିଳିକାଟୁକୁ ଯୋଗାଯୋଗ କରୁଥିବା ରାସ୍ତା ଉପରେ ୩ ଫୁଟରୁ ଅଧିକ ବନ୍ୟା ଜଳ ପ୍ରବାହିତ ହେଉଛି। ଗାଁ ଗୁଡ଼ିକରେ ଆଣ୍ଠୁଏ ଉଚ୍ଚର ପାଣି ପଶିଯାଇଛି।

ସେହିପରି ସୋରଡ଼ା ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଗତ ତିନି ଦିନ ହେବ ଲଗାତାର ବର୍ଷା ଯୋଗୁଁ ସୋରଡ଼ା ବ୍ଲକର ପାଲକାଟୁ, ନୂଆଗାଁ, ତଟବାଲି ଓ ସୁରାମଣି ଗ୍ରାମରେ ବନ୍ୟା ପାଣି ପଶି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ସାନଖେମୁଣ୍ଡି ଓ ଦିଗପହଣ୍ଡି ଅଞ୍ଚଳରେ ଘୋଡ଼ାହାଡ଼ା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ପଲାସପୁର ନିକଟସ୍ଥ ଘୋଡ଼ାହାଡ଼ା ପୋଲ ଉପରେ ୫ ଫୁଟରୁ ଅଧିକ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ, NH-326 ର ଜାତୀୟ ରାଜପଥ ସଂଯୋଗ କରୁଥିବା ଦିଗପହଣ୍ଡି-ଆସିକା ରାସ୍ତା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ରାସ୍ତାର ଦୁଇପାଖରେ ଶହ ଶହ ଯାନବାହନ ଅଟକି ରହିଛି।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଲ ନିକଟରେ ବାରିକେଡ୍ ଲଗାଇବା ସହ ଲୋକଙ୍କୁ ବନ୍ୟା ପାଣିରେ ପୋଲ ପାରି ନହେବାକୁ ସାବଧାନ କରିଛି।

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ନଦୀ ନିକଟକୁ ନଯିବା ଏବଂ ଜଳମଗ୍ନ ରାସ୍ତାରେ ଯାତାୟାତ ନକରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।