ଭୁବନେଶ୍ୱର: ବାତ୍ୟାଜନିତ ପ୍ରବଳ ବର୍ଷା ଯୋଗୁଁ ୱାଲଟେୟାର / ବିଶାଖାପାଟଣା ରେଳ ମଣ୍ଡଳ ଅନ୍ତର୍ଗତ ଇଚ୍ଛାପୁର-ଝାଡ଼ପୁଡ଼ି ରେଳ ସେକ୍ସନର ବ୍ରିଜ୍ ନମ୍ବର ୬୩୧/୦୧ ଏବଂ ୬୩୦/୦୧ ଉପରେ ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ଯାତ୍ରୀମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଅକ୍ଟୋବର ୨୯ ତାରିଖରେ ୯ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୧୪ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି।
ଜଳସ୍ତର ବୃଦ୍ଧି ଏବଂ ବାତ୍ୟା ପରିସ୍ଥିତି ଯୋଗୁଁ ଆଜି ବାତିଲ କରାଯାଇଥିବା ୯ଟି ଟ୍ରେନ୍ ମଧ୍ୟରେ ରହିଛି:
- ୨୦୮୪୧ ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍
- ୨୨୮୧୯ ଭୁବନେଶ୍ୱର ନିୟୁ-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍
- ୧୭୦୧୫ ଭୁବନେଶ୍ୱର ନିୟୁ-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍
- ୧୮୪୪୭ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ (ଏବଂ ୩୦ ତାରିଖରେ ଫେରନ୍ତା ୧୮୪୪୮ ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ)
- ୫୮୫୩୧ / ୫୮୫୩୨ ବ୍ରହ୍ମପୁର-ବିଶାଖାପାଟଣା-ଭୁବନେଶ୍ୱର ପାସେଞ୍ଜର
- ୧୮୫୨୫ ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ୍
- ୧୨୭୦୩ ହାୱଡ଼ା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ୍
ବନ୍ୟା ଜଳ ଯୋଗୁଁ ୧୪ଟି ପ୍ରମୁଖ ଟ୍ରେନକୁ ସମ୍ବଲପୁର, ଆଙ୍ଗୁଳ, ଟିଟିଲାଗଡ଼, ରାୟଗଡ଼ା, ଝାରସୁଗୁଡ଼ା ଓ ଖୋର୍ଦ୍ଧା ରୋଡ଼ ଦେଇ ବିକଳ୍ପ ରୁଟ୍ରେ ପରିଚାଳିତ କରାଯାଉଛି। ଏଥିମଧ୍ୟରେ ୧୯୦୨୨ ବ୍ରହ୍ମପୁର-ଉଧନା ଅମୃତ ଭାରତ, ୧୮୪୬୩ ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍, ୧୨୮୬୩ ହାୱଡ଼ା-ବେଙ୍ଗାଲୁରୁ ଏକ୍ସପ୍ରେସ୍, ୧୨୭୦୪ ସିକନ୍ଦରାବାଦ-ହାୱଡ଼ା ଫଲକନାମା ଏକ୍ସପ୍ରେସ୍, ୧୭୪୮୦ ତିରୁପତି-ପୁରୀ ଏକ୍ସପ୍ରେସ୍ ଏବଂ ୧୭୦୧୬ ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ୍ ଅନ୍ତର୍ଭୁକ୍ତ।
ରେଳବାଇ ଉଚ୍ଚାଧିକାରୀମାନେ ଜଳସ୍ତର ଓ ଟ୍ରାକ୍ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ବନ୍ୟା ଜଳ ହ୍ରାସ ପାଇବା ଏବଂ ରେଳଧାରଣା ସୁରକ୍ଷିତ ଘୋଷଣା ହେବା ପରେ ପୁନର୍ବାର ସ୍ୱାଭାବିକ ଟ୍ରେନ୍ ଚଳାଚଳ ଆରମ୍ଭ ହେବ। ଯାତ୍ରା ଆରମ୍ଭ କରିବା ପୂର୍ବରୁ ନ୍ୟାସନାଲ୍ ଟ୍ରେନ୍ ଏନ୍କ୍ୱାରୀ ସିଷ୍ଟମ୍ କିମ୍ବା ଭାରତୀୟ ରେଳବାଇର ଅଫିସିଆଲ୍ ୱେବସାଇଟ୍ ଜରିଆରେ ଟ୍ରେନର ସମ୍ପ୍ରତିକ ସ୍ଥିତି ଯାଞ୍ଚ କରିବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।




